ରାୟଗଡା: ସୋମବାର ରାୟଗଡା ଟାଉନ୍ ଥାନା ପୋଲିସ ପକ୍ଷରୁ ହେଲମେଟ୍ ଚେକିଂ ସମୟରେ ଅଘଟଣ । ପୋଲିସ କବଳରୁ ବର୍ତ୍ତିବା ପାଇଁ ବାଇକ୍ ଚାଳକ ଚେଷ୍ଟା କରୁଥିବା ବେଳେ କନେଷ୍ଟବଳ ଦୀପକ କୁମାର ଗୌଡଙ୍କ ଉପରେ ବାଇକ ଚଢି ଯାଇଛି । ଫଳରେ ଦୀପକଙ୍କ ଡାହାଣ ଗୋଡରେ ଜୋରରେ ଆଘାତ ଲାଗିବା ସହ ଭାଙ୍ଗି ଯାଇଛି।
ପ୍ରାଥମିକ ଚିକିତ୍ସା ପରେ ଦୀପକଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ସୋମବାର ସହରର ହୋଟେଲ ସାଇ ଇଣ୍ଟର ନ୍ୟାସନାଲ୍ ଛକରେ ଠାରେ ହେଲମେଟ୍ ଚେକିଂ ଚାଲିଥିଲା । ତେବେ ବିନା ହେଲମେଟରେ ଚିନ୍ମୟ ଲବଲା ନାମକ ଜଣେ ଯୁବକ ରାୟଗଡାରୁ ଜେକେପୁର ଅଭିମୁଖେ ଯାଉଥିବାବେଳେ ପୋଲିସ ଅଟକାଇଥିଲା । ଭୟରେ ଚିନ୍ମୟ ଗାଡିକୁ ଡାହାଣ ପାର୍ଶ୍ବକୁ ବୁଲାଇ ପୋଲିସ୍ କବଳରୁ ବର୍ତ୍ତିବା ପାଇଁ ମୁଖ୍ୟରାସ୍ତାରୁ କସ୍ତୁରୀ ନଗର ଆଡକୁ ପଳାଇ ଯାଉଥିଲେ । ଏହି ସମୟରେ ଡ୍ୟୁଟିରେ ଥିବା କନେଷ୍ଟବଳ ଦୀପକ ଚିନ୍ମୟଙ୍କ ବାଇକକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଚିନ୍ମୟ ହଡବଡେଇ ଯିବା ଯୋଗୁଁ ବାଇକ କନେଷ୍ଟବଳଙ୍କ ଗୋଡ ଉପରେ ଚଢି ଯାଇଥିଲା ।