ରାୟଗଡା:ହସ୍ପିଟାଲ ପରିସରରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛିରାୟଗଡା ଜିଲ୍ଲାରେ । ଚନ୍ଦ୍ରପୁର ଡ଼ାକ୍ତରଖାନା ପରିସରରେ ଥିବା ମାଆ ଘର ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଲକ୍ଷ୍ମୀ ମାଝୀ ଏବଂ ସେ ଚନ୍ଦ୍ରପୁରଠାରେ ଥିବା ମାଆ ଗୃହର ପରିଚାଳିକା ଥିଲେ । ଲକ୍ଷ୍ମୀଙ୍କ ସମ୍ପୂର୍ଣ୍ଣ ଶରୀର ପୋଡି ଯାଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ଘର କାଶୀପୁର ବ୍ଲକରେ । କେମିତି ସେ ପୋଡି ହୋଇ ପ୍ରାଣ ହରାଇଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାରେ ଛାନଭିନ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଲକ୍ଷ୍ମୀ ମାଝୀଙ୍କ ଘର କାଶୀପୁର ଅଞ୍ଚଳର ହୋଇଥିବା ବେଳେ ସେ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମାଆ ଗୃହର ପରିଚାଳିକା ଭାବେ କାମ କରୁଥିଲେ । ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପରିତ୍ୟକ୍ତ କୋଠରୀରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏନେଇ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଓ ଚନ୍ଦ୍ରପୁର ପୋଲିସକୁ ସୂଚନା ଦିଆଯାଇଥିଲା । ଲକ୍ଷ୍ମୀଙ୍କ ପୁରା ଶରୀର ପୋଡ଼ି ଯାଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନି । ଲକ୍ଷ୍ମୀଙ୍କ ଶରୀରରେ କିଭଳି ନିଆଁ ଲାଗିଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।
ତେବେ ତାଙ୍କୁ କେହି ହତ୍ୟା କରିଛନ୍ତି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ମୃତ ଲକ୍ଷ୍ମୀ ମିଷ୍ଟଭାଷୀ ଓ ମେଳାପୀ ଯୁବତୀ ଥିଲେ । ସେ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମାଆ ଘରର ପରିଚାଳିକା ଭାବେ ଅନେକ ଦିନ ଧରି କାମ କରୁଥିଲେ । ମୃତ ଲକ୍ଷ୍ମୀ ଆଲିସା ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ପରିଚାଳିତ ମାଆ ଗୃହରେ ପରିଚାଲିକା ଭାବେ କାମ କରୁଥିଲେ ।