ରାୟଗଡା:ଜିଲ୍ଲାର ଅପହଞ୍ଚ ଇଲାକାରେ ପରିକ୍ଷିତ ଗ୍ରାମପଞ୍ଚାୟତର କୋଣ୍ଡାବାରିଡି ଗାଁରେ ପହଁଞ୍ଚି ସେଠାକାର ସ୍ଥିତି ପରଖିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ତଥା ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀ ଜେ ସୋନାଲ ସେଠି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକେ ବିଶେଷ କରି ରାସ୍ତା, ସ୍ୱଚ୍ଛ ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଜଙ୍ଗଲ ଜମି ପଟ୍ଟା, ଘର ଡିହ ପଟ୍ଟା ଆଦି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏପରିକି ଦୁଇ ମାସ କାହିଁକି ଗର୍ଭବତୀ ମା’ ଓ ଛୁଆଙ୍କୁ ଛତୁଆ ଦିଆଗଲା ନାହିଁ ବୋଲି ବିଭାଗୀୟ ସିଡିପିଓ ଶାନ୍ତିଲତା ରଥଙ୍କୁ ପଚାରି ବୁଝିଥିଲେ ଏବଂ ତୁରନ୍ତ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହି ବ୍ଲକ ଅଧିନ ଡାଙ୍ଗୁବାଡ଼ି ଗ୍ରାମର 40 ବର୍ଷ ତଳେ 25 ଜଣ ଗରିବ ଆଦିବାସୀଙ୍କୁ ଯୋଗାଇ ଦିଆଯାଇଥିବା ଜମିର ପଟ୍ଟା ଏଯାଏଁ ମିଳି ନ ଥିବାରୁ ତୁରନ୍ତ ଯୋଗାଇ ଦେବାକୁ ତହସିଲଦାରଙ୍କୁ ତାଗିଦ ମଧ୍ୟ କରିଛନ୍ତି । ସେପଟେ ଉକ୍ତ ପଞ୍ଚାୟତର ଲୋକଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମ ନିର୍ଭରଶୀଳ କରିବା ପାଇଁ ଛତୁ, କୁକୁଡ଼ା ଏବଂ ଛେଳି ଚାଷ କିପରି କରାଯାଇପାରିବ ସେନେଇ ବିଭାଗୀୟ କୃଷି ଅଧିକାରୀଙ୍କୁ ତାଗିଦ କରିଥିଲେ ।