ଓଡିଶା

odisha

By

Published : Apr 19, 2022, 6:25 PM IST

ETV Bharat / state

ଭୌଗୋଳିକ ମାନଚିତ୍ରରୁ ଉଭାନ ହୋଇଯିବ କି ବଂଶଧାରା ନଦୀ ?

ଶୁଖି ଶୁଖି ଯାଉଛି ଜିଲ୍ଲାର ଜୀବନରେଖା କୁହାଯାଉଥିବା ବଂଶଧାରା ନଦୀ । ଓଡ଼ିଶାର ନଦୀର ଅଧିକ ଭାଗ ରହିବା ପରେ ମଧ୍ୟ ନଦୀଜଳ ଧାରା ଏବେ ଶୁଷ୍କ ପାଲଟିଯାଇ ବାଲିସ୍ତୂପରେ ପରିଣତ ହେଲାଣି । ସେପଟେ ତଳମୁଣ୍ଡରୁ ପାଣି ଶୋଷି ଚାଲିଛି ଆନ୍ଧ୍ର । ତେବେ କଣ ଭବିଷ୍ୟତରେ ଭୌଗୋଳିକ ମାନଚିତ୍ରରୁ ଲିଭିଯିବ ବଂଶଧାରା ନଦୀ ? ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

ଭୌଗୋଳିକ ମାନଚିତ୍ରରୁ ଉଭାନ ହୋଇଯିବ ବଂଶଧାରା ନଦୀ !
ଭୌଗୋଳିକ ମାନଚିତ୍ରରୁ ଉଭାନ ହୋଇଯିବ ବଂଶଧାରା ନଦୀ !

ରାୟଗଡ଼ା: ଶୁଖି ଶୁଖି ଯାଉଛି ଜିଲ୍ଲାର ଜୀବନରେଖା କୁହାଯାଉଥିବା ବଂଶଧାରା ନଦୀ । ଜଳ ଧାରା ଏବେ ଶୁଷ୍କ ପାଲଟିଯାଇ ବାଲିସ୍ତୂପରେ ପରିଣତ ହେଲାଣି । ଏହି ପୁରାତନ ନଦୀ ଜଳର ସୁପରିଚାଳନା ହୋଇନଥିବା କାରଣରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଏବେ ଏହି ନଦୀ ଶୁଖିଯାଇ ବାଲୁକା ଶଯ୍ୟାରେ ପରିଣତ ହୋଇଯାଇଛି । ଧୀରେ ଧୀରେ ହ୍ରାସ ପାଉଛି ଭୂତଳ ଜଳସ୍ତର । ଫଳରେ ଏହା ଦିନେ ଭୌଗୋଳିକ ମାନଚିତ୍ରରୁ ଉଭାନ ହୋଇଯିବ ବୋଲି ମନେ ହେଉଛି ।

ଭୌଗୋଳିକ ମାନଚିତ୍ରରୁ ଉଭାନ ହୋଇଯିବ ବଂଶଧାରା ନଦୀ !

ନଦୀ ଜଳ ଶୁଖିଯିବା ପରେ ଚାଷୀ ଠାରୁ ବନ୍ୟଜନ୍ତୁ ଡହଳ ବିକଳ ହେଉଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଏବେ ଜିଲ୍ଲାର ପ୍ରମୁଖ ନଦୀ ବଂଶଧାରା ଶୁଖିଲା ହୋଇଛି । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆଜି ରାୟଗଡା ଜିଲ୍ଲାବାସୀ ନଦୀ ଜଳ ସମ୍ପଦର ଫାଇଦା ଉଠାଇ ପାରୁ ନାହାଁନ୍ତି । ଚିରସ୍ରୋତା ନଦୀଟିଏ ଥାଇ ବି ତୃଷାର୍ତ୍ତର ଶିକାର ହେଉଛନ୍ତି ଏଠାକାର ଲୋକେ । ବର୍ଷା ଦିନେ କୂଳ ଲଙ୍ଘୁଥିବା ବଂଶଧାରର ପାଣି ବର୍ଷର ବାକି 8 ମାସ ଚାଷୀଙ୍କ ପାଇଁ ଦାଉ ସାଜିଛି । ବଂଶଧାରାର ମୋଟ ଦୈର୍ଘ୍ୟ ୨୧୭ କିଲୋମିଟର ହୋଇଥିବା ବେଳେ ଏଥିରୁ ୧୨୫ କିଲୋମିଟର ଓଡ଼ିଶାରେ ପ୍ରବାହିତ ହେଉଛି ।

ତଥାପି ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବଂଶଧାରା ଉପର ମୁଣ୍ଡରେ ଆଡିବନ୍ଧ ଟିଏ ନିର୍ମାଣ କରିପାରିଲେ ନାହିଁ । ଏପରିକି ଓଡିଶା ସରକାରଙ୍କ ବନ୍ୟା ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ବଂଶଧାରା ନଦୀ ଜଳର ଭରପୁର ଫାଇଦା ଉଠାଉଛି ଆନ୍ଧ୍ରପ୍ରଦେଶ । ବଂଶଧାରା ତଳ ମୁଣ୍ଡରେ ଆନ୍ଧ୍ର ସରକାର ଗୋଟା ବ୍ୟାରେଜ, ନେରେଡି ବ୍ୟାରେଜ ୧, ନେରେଡି ବ୍ୟାରେଜ ୨ ଭଳି ବଡବଡ ଜଳସେଚନ ପ୍ରକଳ୍ପ ସହ ଅନେକ ଛୋଟ ଛୋଟ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏଥିରୁ ଲକ୍ଷାଧିକ ହେକ୍ଟର ଜମିରେ କୃଷି ପାଇଁ ଜଳସେଚନ, ପିଇବା ପାଣିର ବ୍ୟବସ୍ଥା ସାଙ୍ଗକୁ ଶିଳ୍ପ ପ୍ରତିଷ୍ଠାନକୁ ଜଳ ଯୋଗାଇ ଲାଭବାନ ହେଉଥିବା ବେଳେ ଓଡିଶା ସରକାର ସବୁଜାଣି ଚୁପ ବସିଥିବା ଅଭିଯୋଗ ହୋଇଛି ।

ବିଗତ ୨୦୦୫ ମସିହାରେ ବଂଶଧାରା ଉପର ମୁଣ୍ଡ ଗୁଦାରି ବ୍ଲକର ପାଣିଢଙ୍ଗର ଠାରେ ରାଜ୍ୟ ସରକାର ବଂଶଧାରା ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପାଇଁ ଶିଳାନ୍ୟାସ କରିଥିଲେ । ଇତି ମଧ୍ୟରେ ୧୭ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏହା ଶିଳାନ୍ୟାସରେ ହିଁ ସୀମିତ ରହିଯାଇଛି । ଫଳରେ ବଂଶଧାରା ନଦୀ ଏବେ ଶୁଷ୍କ ପାଲଟିଯାଇ ବାଲିସ୍ତୂପରେ ପରିଣତ ହେବାରେ ଲାଗିଛି । ଯଦି ବେଳ ଥାଉ ଥାଉ ବଂଶଧାରା ଉପର ମୁଣ୍ଡରେ ପାଣିଡଙ୍ଗର ଠାରେ ବଂଶଧାରା ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରକଳ୍ପ ଆରମ୍ଭ କରାନଯାଏ ତେବେ ଭୂଗୋଳ ମାନଚିତ୍ରରେ ବଂଶଧାରା ନଦୀର ବିଲୋପ ଘଟିବ ଏଥିରେ ସନ୍ଦେହ ନାହିଁ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details