ରାୟଗଡା: ରାଜ୍ୟରେ ଗରିବଟିଏର ଦୁଃଖ ବୁଝିବା ପାଇଁ ରହିଛି ମାଳ ମାଳ ସରକାରୀ ଯୋଜନା । ହେଲେ ବାସ୍ତବରେ ଏହା ସେମାନଙ୍କ ପାଇଁ କେତେ କାର୍ଯ୍ୟକାରୀ ତାହାର ଏକ ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଣପୁର ବ୍ଲକ ଅନ୍ତର୍ଗତ ଚାଲକମ୍ବା ଗାଁରେ । ଯାହା ବଖାଣିଛନ୍ତି ଗାଁରେ ରହୁଥିବା ଲକ୍ଷ୍ମୀ ଲିମା । ସରକାରୀ ବାବୁମାନେ ଯୋଜନା ସବୁର କାର୍ଯ୍ୟକାରିତାକୁ ନେଇ କେତେ ତତ୍ପର ତାହା ପଚାରି ବୁଝିଥିଲା ଇଟିଭି ଭାରତ ଟିମ୍ ।
ଚାଲକମ୍ବା ଗାଁର 65 ବର୍ଷିୟା ଲକ୍ଷ୍ମୀ ଲିମା । 15 ବର୍ଷ ତଳେ ଏକା କରି ଆର ପାରିକି ଚାଲି ଯାଇଥିଲେ ସ୍ବାମୀ । ଏହା ପରଠାରୁ ଗୋଟିଏ ପୁଅକୁ ସାହାରା କରିଥିଲେ ଲକ୍ଷ୍ମୀ । ହେଲେ ସ୍ତ୍ରୀ ମାୟାରେ ଅନ୍ଧ ହୋଇ ମା’କୁ ପର କରି ଘର ଜ୍ବାଇଁ ହୋଇଥିଲା ଗୋଟିଏ ବୋଲି ଭେଣ୍ଡିଆ ପୁଅ । ସେପଟେ 5 ବର୍ଷ ତଳେ ପକ୍ଷାଘାତ ରୋଗ କବଳରେ ପଡି ଚଲାବୁଲା ବନ୍ଦ ହେଲା ଲକ୍ଷ୍ମୀଙ୍କର ।