ରାୟଗଡା: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି 'ଘରେ ଘରେ ହାତ' ଅଭିଯାନ । ଆଜି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । AICC ଓ PCC ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ଏହି କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରାକାରଙ୍କ ଅପାରଗତାକୁ ପ୍ରସଙ୍ଗ କରିଛି ଦଳ । ଏହାକୁ ନେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ଯ ବୋଲି ଦଳ କହିଛି ।
ବିଜେଡି ପରେ ଏବେ କଂଗ୍ରେସ ଦଳ ପକ୍ଷରୁ ବିଷମକଟକ ଠାରେ ଜନଜାଗରଣ ପଦଯାତ୍ରା ହୋଇଯାଇଛି । ଏହି ଜନଜାଗରଣ ପଦଯାତ୍ରାରେ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ୨୨ ବର୍ଷରେ ଚାଲିଥିବା ମହାଦୁର୍ନୀତି ସମ୍ବନ୍ଧରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କଂଗ୍ରେସର ଅତୀତର ସୁଶାସନକୁ ଲୋକଙ୍କ ନିକଟରେ ଉପସ୍ଥାପନ କରିଥିଲେ । ବିଷମକଟକରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମରେ ୩ ହଜାରରୁ ଅଧିକ କର୍ମୀଙ୍କ ଉପସ୍ଥିତିରେ ବିଷମକଟକ ନିର୍ବାଚନ ମଣ୍ଡଳୀ ସଦର ମହକୁମାଠାରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମ ହୋଇଥିଲା । ପଦଯାତ୍ରା ପରେ ଅନୁଷ୍ଠିତ ବୌଠକରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ନାୟକ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଆଗକୁ ବିଧାନସଭା ସହ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ କର୍ମୀଙ୍କୁ ନିଜ ନିଜ ଅଞ୍ଚଳରେ ସଙ୍ଗଠନକୁ ଆହୁରି କିପରି ମଜଭୁତ କରାଯିବ ସେନେଇ ପରାମର୍ଶ ଦେଇଥିଲେ ।