ରାୟଗଡା: ଭିକ୍ଷାବୃତ୍ତି କରି ଚଳୁଥିବା ଜଣେ ବୃଦ୍ଧ ଅନ୍ଧ ପରିବାରକୁ ଶେଷରେ ମିଳିଲା ରାସନ ଚାଉଳ । ସେପୁଣି ଅଦାଲତର ହସ୍ତକ୍ଷେପ ଫଳରେ । ଏଭଳି ଏକ ଘଟଣା ଘଟିଛି ଆଜି ରାୟଗଡ଼ା ସହରରେ ।
ଆଜି ସ୍ଥାନୀୟ ସ୍ଥୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶରେ ସଂପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ହଲ ଭିତରେ ଜଜଙ୍କ ଉପସ୍ଥିତିରେ ଏମାସର ରାସନ ଚାଉଳ ସହିତ ରାସନ କାର୍ଡ଼ ପ୍ରଦାନ କରିଛି ଯୋଗାଣ ବିଭାଗ । ରାୟଗଡ଼ା ସହର ମଙ୍ଗଳା ମନ୍ଦିର ନିକଟରେ ରହନ୍ତି ୭୦ ବର୍ଷୀୟ ବୃଦ୍ଧ ଜାନୁ ଟାକିରି । ତାଙ୍କର ଆଧାର କାର୍ଡ଼ ନଥିବା ଯୋଗୁଁ ଗତ କିଛିମାସଧରି ଯୋଗାଣ ବିଭାଗ ପିଡ଼ିଏସ ଚାଉଳ ବନ୍ଦ କରି ଦେଇଥିଲେ । ସେ ଅତ୍ୟନ୍ତ ଗରିବ ଥିବାବେଳେ ଭିକ୍ଷାବୃତ୍ତି କରି ଚଳୁଛନ୍ତି । ତେବେ ସେ ମଙ୍ଗଳା ମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ସମୟରେ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ।