ରାୟଗଡା:କାଶୀପୁର ବ୍ଲକରେ ଥମୁନି ଜନନୀ ଯନ୍ତ୍ରଣା । କେବଳ ବର୍ଷାଦିନ ନୁହେଁ, ଡହ ଡହ ଖରାରେ ମଧ୍ୟ ଆମ୍ବୁଲାନ୍ସଟିଏ ଦୁର୍ଗମ ଅଞ୍ଚଳକୁ ପଶି ପାରୁନି । ଯାହାଫଳରେ ଅନେକ ସମୟରେ ଖବରର ଶିରୋନାମା ପାଲଟୁଛି ରାୟଗଡା ଜିଲ୍ଲା କାଶୀପୁରର ଜନନୀ ଯନ୍ତ୍ରଣା । ଏଭଳି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି କାଶୀପୁର ଗୋଡିବାଲି ପଞ୍ଚାୟତ ଅନ୍ତର୍ଗତ ଗାଡ୍ରାମୁହିଁ ଗ୍ରାମରେ । ଗାଁର ପରିହା ମାଝୀଙ୍କ ସ୍ତ୍ରୀ ରଞ୍ଜିତା ମାଝୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗାଁରେ ରାସ୍ତା ଏବଂ ଟେଲିଫୋନ ନେଟୱର୍କ ନଥିବା ଯୋଗୁଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିନଥିଲା । ନିରୂପାୟ ପରିବାର ଲୋକେ ଆଜି ପାହାନ୍ତିଆରେ ତାଙ୍କୁ କିଟିକିଟି ଅନ୍ଧାର ରାତିରେ ନଦୀନାଳ ପାର୍ କରି ଆରପଟକୁ ଆଣିବା ପରେ ଆମ୍ବୁଲାନ୍ସରେ ମେଡିକାଲ ନେଇଥିଲେ ।
ପ୍ରଥମେ ଗର୍ଭବତୀଙ୍କୁ ସିକରପାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜାଣି ଡାକ୍ତର ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ରଞ୍ଜିତା ବର୍ତ୍ତମାନ ରାୟଗଡା ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଖଣି ଖାଦାନରେ ଭରପୁର କାଶୀପୁର ଅଞ୍ଚଳର ଲୋକମାନେ କାହିଁକି ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଜର୍ଜରିତ ହେଉଛନ୍ତି । ଗୋଟିଏ ପଟେ ଶିଳ୍ପାୟନ ତ ଅନ୍ୟପଟେ ଭୋକର ଭୂଗୋଳକୁ ନେଇ କାଶିପୁର ବ୍ଲକ ଦେଶ ବିଦେଶରେ ପ୍ରଖ୍ୟାତ ହେଉଛି । କେତେବେଳେ ଝାଡ଼ାବାନ୍ତି କାଳ ସାଜୁଛି ତ ଆଉ କେତେବେଳେ ଆମ୍ବ ଟାକୁଆ ଖାଇ ଜୀବନ ହାରୁଛନ୍ତି ଏଠିକାର ଲୋକେ । ଏଥିପାଇଁ ସବୁ ସମୟରେ କାଶିପୁର ବ୍ଳକ ଚର୍ଚ୍ଚାରେ ରହିଆସୁଛି ।