ଓଡିଶା

odisha

ETV Bharat / state

ଇଟିଭି ଭାରତ ପ୍ରଭାବ: ସାର ଦୁର୍ନୀତିର ପର୍ଦ୍ଦାଫାଶ, 5 ଅଧିକାରୀ ନିଲମ୍ବିତ

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ‘ଇଟିଭି ଭାରତ’ର ପ୍ରଭାବ । ମନଇଚ୍ଛା ସାର ବିକ୍ରି କରି ଫସିଲେ ଡିଲର ଓ ସମବାୟ ଅଧିକାରୀ । ଅଭିଯୁକ୍ତ ଅଧିକାରୀଙ୍କୁ ବାଜିଲା ପ୍ରଶାସନିକ ଛାଟ । ଅଧିକ ପଢନ୍ତୁ...

By

Published : Sep 11, 2020, 5:30 PM IST

ଇଟିଭି ଭାରତ ପ୍ରଭାବ; ମନଇଚ୍ଛା ସାର ବିକ୍ରି କରି ଫସିଲେ ଡିଲର ଓ ସମବାୟ ଅଧିକାରୀ
ଇଟିଭି ଭାରତ ପ୍ରଭାବ; ମନଇଚ୍ଛା ସାର ବିକ୍ରି କରି ଫସିଲେ ଡିଲର ଓ ସମବାୟ ଅଧିକାରୀ

ରାୟଗଡା: ଚାଷ କାର୍ଯ୍ୟ ସମୟରେ ରାୟଗଡା ଜିଲ୍ଲାରେ ମିଳୁନାହିଁ ରସାୟନିକ ସାର । ଲ୍ୟାମ୍ପ୍ସକୁ ଦୌଡି ଦୌଡି ହତାଶ ହେଉଛନ୍ତି ଚାଷୀ । ଖରିଫ ଚାଷ ସମୟରେ 35 ହଜାର ମେଟ୍ରିକ ଟନ୍‌ ସାରର ଆବଶ୍ୟକତା ଥିବାବେଳେ ଜିଲ୍ଲାରେ 25 ହଜାର ମେଟ୍ରିକ ଟନ୍‌ ସାର ଚାଷୀଙ୍କୁ ବିତରଣ କରାଯାଇଛି । ହେଲେ ଏହା ମନଇଚ୍ଛା ବିକ୍ରି ହେଉଥିବାରୁ ଚାଷୀ ଲ୍ୟାମ୍ପ୍ସରୁ ଆରମ୍ଭ କରି ଡିଲରଙ୍କ ପର୍ଯ୍ୟନ୍ତ ଦୌଡି ଦୌଡି ଖାଲି ହାତରେ ଫେରୁଛି ।

ଇଟିଭି ଭାରତ ପ୍ରଭାବ; ମନଇଚ୍ଛା ସାର ବିକ୍ରି କରି ଫସିଲେ ଡିଲର ଓ ସମବାୟ ଅଧିକାରୀ

ଖରିଫ ଚାଷ ଆରମ୍ଭରୁ ଏପରି ସ୍ଥିତି ଦେଖାଦେଇଥିବାରୁ ଚାଷୀ ହତାଶ ହୋଇପଡିଛି । ତେବେ ଏନେଇ ଇଟିଭି ଭାରତରେ ଗତ 6 ତାରିଖ ଦିନ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାୟଗଡା ଜିଲ୍ଲାରେ ହୋଇଥିବା ସାର ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପରେ ପଦାରେ ପଡିଛି ସମବାୟ ବିଭାଗ - ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ - ଲ୍ୟାମ୍ପସ ଅଧିକାରୀ - ଡିଲରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ।

ଖବର ପ୍ରସାରଣ ପରେ ମନଇଚ୍ଛା ସାର ବିକ୍ରି କରୁଥିବା ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ତଦନ୍ତ ରିପୋର୍ଟ ପରେ କୃଷି ବିଭାଗର 7 ଡିଲରଙ୍କ ଲାଇସେନ୍ସ ରଦ୍ଦ ହେବା ସହ ସମବାୟ ବିଭାଗ ଲ୍ୟାମ୍ପସ୍ ବ୍ରାଞ୍ଚ ଇନଚାର୍ଜ, ସଂପାଦକଙ୍କ ସମେତ 5 କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ସାର ହେରଫେର ମାମଲାର ତଦନ୍ତ ରିପୋର୍ଟ ଆଧାରରେ କୋଲନରା ଲ୍ୟାମ୍ପସ ବ୍ରାଞ୍ଚ ଇନଚାର୍ଜ କେ. ଗୌରୀ , ରାୟଗଡା ବହୁମୁଖୀ ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ ଡି. ଭେଙ୍କଟ ରମଣା, ମୁନିଗୁଡା ଲ୍ୟାମ୍ପସର ଆକାଉଣ୍ଟାଣ୍ଟ୍ ତଥା ଷ୍ଟକ୍ ଇନଚାର୍ଜ ମନୋଜ କୁମାର ସାହୁ, ରାୟଗଡା ଲ୍ୟାମ୍ପସର ଷ୍ଟକ୍ ଇନଚାର୍ଜ ଟି. ମହେଶ କୁମାର, କଲ୍ୟାଣସିଂହପୁର ଲ୍ୟାମ୍ପସ ଷ୍ଟକ୍ ଇନଚାର୍ଜ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ସମବାୟ ବିଭାଗ ନିଲମ୍ବିତ କରିଛି।

ସେହିପରି କଲ୍ୟାଣସିଂହପୁର ଲ୍ୟାମ୍ପସ ପରିଚାଳନା ନିର୍ଦେଶକ ମୋହନ ଚରଣ ଧୀରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ କେସିସି ବ୍ୟାଙ୍କ ଜୟପୁର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ସମବାୟ ବିଭାଗ । ସାର ଦୁର୍ନୀତିରେ ଆହୁରି ଅନେକ ଲ୍ୟାମ୍ପସ କର୍ମଚାରୀଙ୍କ ସଂପୃକ୍ତି ରହିଛି । ହେଲେ କେବଳ ଟପ୍‌ ଟ୍ବେଣ୍ଟି ବାୟର୍ସଙ୍କୁ ନେଇ ଏହି ତଦନ୍ତ ହୋଇଥିବାରୁ ଏଥିରେ ସନ୍ଦେହ ଦେଖାଦେଉଛି ।

ବିଷମକଟକ, ରାମନାଗୁଡା, ଗୁଣପୁର, କାଶୀପୁର, ଚନ୍ଦ୍ରପୁର, ପଦ୍ମପୁର, ଗୁଡାରି ଲ୍ୟାମ୍ପସକୁ ଯୋଗାଣ ହୋଇଥିବା ସାର ପ୍ରକୃତରେ ଚାଷୀଙ୍କୁ ମିଳିଛି ନାଁ ଚାଷୀଙ୍କ ନାଁରେ ଆଉ କିଏ ନେଇଛି ତାହାର ତଦନ୍ତ ହୋଇନାହିଁ । ଏହାର ତଦନ୍ତ ହେଲେ ଆହୁରି ଅନେକ ହସ୍ତୀ ଧରାପଡିବେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଗତ 2 ସପ୍ତାହ ହେବ ଜିଲ୍ଲାର ଲ୍ୟାମ୍ପସ ଗୁଡିକରେ ସାର ଷ୍ଟକ୍ ନଥିବାବେଳେ ଡିଲରଙ୍କ ପାଖକୁ ଗଲେ ବସ୍ତା ବସ୍ତା ସାର କେମିତି ମିଳୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ଗତକାଲି ପଦ୍ମପୁରରେ ସାରର କଳାବଜାରୀ ହେଉଥିବା ଖବର ପାଇ ତହସିଲଦାର ଓ କୃଷି ବିଭାଗ ଅଧିକାରୀ ଚଢାଉ କରିଥିଲେ। ହେଲେ ଚଢାଉ ପୂର୍ବରୁ ବହୁ ବ୍ୟବସାୟୀ ଦୋକାନ ବନ୍ଦ କରି ଚମ୍ପଟ ମାରିଥିଲେ। କେବଳ ପଦ୍ମପୁର ନୁହେଁ ଜିଲ୍ଲାର ଅଧିକାଂଶ ଲାଇସେନସ୍ ପ୍ରାପ୍ତ ଡିଲର ଲ୍ୟାମ୍ପସ ଅଧିକାରୀ ଓ ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ ସହ ସଲାସୁତୁରା କରି ମୋଟା ଅଙ୍କର ଲାଞ୍ଚ ଦେଇ ସାରକୁ ହାତେଇ ନେଉଥିବା ଅଭିଯୋଗ ହେଉଛି ।

ଯେଉଁ ସାର ଲ୍ୟାମ୍ପସରେ 266 ଟଙ୍କା 50 ପଇସା ରହୁଛି ତାହା ବାହାରେ ଡିମାଣ୍ଡ ଅନୁଯାୟୀ ଚଢାଦରରେ 450ରୁ 520 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସାର ପହଞ୍ଚିବା କ୍ଷଣି ଲ୍ୟାମ୍ପସ ଅପେକ୍ଷା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ତ୍ତୃପକ୍ଷ ଡିଲରଙ୍କୁ ଅଧିକ ପରିମାଣର ସାର ଯୋଗାଉଥିବା ଅଭିଯୋଗ ହେଉଛି । ତେବେ ଚାଷୀଙ୍କୁ ଆବଶ୍ୟକତାଠୁ ଅଧିକ ସାର ବିକ୍ରି ଅଭିଯୋଗରେ ମୁନିଗୁଡାର ଭାସବୀ ଟ୍ରେଡର୍ସର, ବିଷମକଟକ ବ୍ଲକର ମହାଲକ୍ଷ୍ମୀ ଟ୍ରେଡର୍ସ ଲାଇସେନସକୁ ରଦ୍ଦ କରିଛନ୍ତି ମୁନିଗୁଡା କୃଷି ଜିଲ୍ଲା ଅଧିକାରୀ ।

ସେହିପରି ଗୁଣପୁର କୃଷି ଜିଲ୍ଲା ଅଧିକାରୀ ମଧ୍ୟ ସାର ଦୁର୍ନୀତିରେ ସମ୍ପୃକ୍ତ 3 ଡିଲରଙ୍କ ଲାଇସେନସ ବାତିଲ୍ କରିବା ସହ 18 ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯାଞ୍ଚ ସମୟରେ ରାମନାଗୁଡା ବ୍ଲକ୍ ଉକମ୍ବାର ଜସ୍ମିତା ଟ୍ରେଡର୍ସର ପଏଣ୍ଟ୍ ଅଫ୍ ସେଲ୍ ମେସିନ୍ ଏବଂ ଗୋଦାମ ଷ୍ଟକ୍ ମଧ୍ୟରେ କୌଣସି ତାଳମେଳ ରହୁନଥିବାରୁ ଲାଇସେନସ୍ ରଦ୍ଦ ହୋଇଛି । ଗୁଲୁମୁଣ୍ଡା ମା ମାଝି ଗୌରୀ ଟ୍ରେଡର୍ସ, ଗୁଣପୁର ଶ୍ରୀ ରାଜେଶ୍ବରୀ କମ୍ପାନୀ ଚାଷୀଙ୍କୁ ଦରକାରଠୁ ଅଧିକ ବିକ୍ରି କରିଥିବା ଜଣାପଡିଛି। ଯେଉଁଥିପାଇଁ ଉଭୟଙ୍କ ଲାଇସେନସ୍ ରଦ୍ଦ କରାଯାଇଥିବା କହିଛନ୍ତି କୃଷି ଅଧିକାରୀ ।

ରାୟଗଡା କୃଷି ଜିଲ୍ଲାର ବିଜୟ ଶ୍ରୀ ଆଗ୍ରୋ କେୟାର୍ ଓ ମା ମାଝି ଗୌରୀ ଟ୍ରେଡର୍ସର ଲାଇସେନସ ରଦ୍ଦ କରାଯାଇଛି । ଏଥି ସହିତ 13 ଡିଲରଙ୍କୁ ନୋଟିସ୍ ଦିଆଯାଇଛି । ତେବେ ସବୁଠାରୁ ବଡ କଥା ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ କେବଳ ତଳିଆ କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ ବଡ ବାଡିଆଙ୍କ ପାଳି କେବେ ଆସିବ ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details