ଓଡିଶା

odisha

ଧାନ ଖାଇଗଲେ ହାତୀପଲ, ଆତଙ୍କିତ ଅବସ୍ଥାରେ ଗୁଣୁପୁରବାସୀ

By

Published : Jan 8, 2023, 10:53 PM IST

ହାତୀ ଉପଦ୍ରବରେ ବେହାଲ ରାୟଗଡ଼ା ଜିଲ୍ଲା ଡମ୍ବସରା ଗାଁ । କେତେବେଳେ ହାତୀ ମଣିଷ ମାରୁଛି ତ ଆଉ କେତେବେଳେ ଘର ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ଆଉ ଏବେ ୬ଟିକିଆ ହାତୀପଲ ପଶି ଖାଇ ଦେଇଛନ୍ତି ଧାନ । ଅଧିକ ପଢ଼ନ୍ତୁ

Elephant destroyed paddy
ଧାନ ନଷ୍ଟ କରିଦେଲେ ହାତୀପଲ

ଧାନ ନଷ୍ଟ କରିଦେଲେ ହାତୀପଲ

ରାୟଗଡ଼ା : ଧାନ ଖାଇଗଲେ ହାତୀପଲ । ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ଗ୍ରାମରେ ୬ଟିକିଆ ହାତୀପଲ ପଶି ସବୁ ଧାନ ନଷ୍ଟ କରିଦେଇଛନ୍ତି । ଏହି ଖବର ପ୍ରଚାର ହେବାପରେ ଡମ୍ବସରା ଅଞ୍ଚଳବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଜି(ରବିବାର) ଦିନ ତମାମ ହାତୀ ଘଉଡାଇବା ପାଇଁ ସ୍ଥାନୀୟ ବନବିଭାଗ ଅଧିକାରୀ ଅଶୋକ କୁମାର ବେହେରାଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିଲେ ମଧ୍ୟ ନାକେଦମ ହେବାକୁ ପଡିଛି ।

ଅଧିକ ଧନଜୀବନ ଯେପରି ନଷ୍ଟ ନହୁଏ ସେନେଇ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ବନବିଭାଗ । ବର୍ତ୍ତମାନ ଚାଷ ଜମିଗୁଡ଼ିକରେ ଧାନ ଫସଲ ଅମଳ ସମୟ । ଏହି ସମୟରେ ବିଭିନ୍ନ ସ୍ଥାନରେ ହାତୀପଲ ଗାଁରେ ହୋଇଥିବା ଫସଲ ଜମିରେ ପଶି ସମସ୍ତ ଧାନକୁ ଦଳିଚକଟି ନଷ୍ଟ କରିଦେଇଛି । ଏହା ଦେଖି ଚିନ୍ତାରେ ପଡ଼ିଯାଇଛି ଚାଷୀ ।

ଯଦି ହାତୀପଲ ଗାଁ ଭିତରକୁ ପଶି ଆସନ୍ତି ତେବେ ଧନଜୀବନ ପ୍ରତି ବିପଦ ନେଇ ଗ୍ରାମବାସୀ ଆଶଙ୍କା ଓ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ଏହି ହାତୀପଲ ପ୍ରାୟ ୧ବର୍ଷ ହେଲା ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଚଳପ୍ରଚଳ କରିବା ସହିତ ଫସଲ ଓ ଘର ନଷ୍ଟ କରୁଛନ୍ତି । ତଥାପି ଏବେ ସୁଦ୍ଧା ହାତୀ ଗୁଡ଼ିକୁ ଘଉଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ ।

ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏପରିକି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଦାଉ ସାଧିଛି ଧାନମଣ୍ଡି । ଅମଳ ସରିଥିବା ବେଳେ ଟୋକନ ନମିଳିବାରୁ ଖୋଲା ଆକାଶ ତଳେ ଜମା ହୋଇ ପଡିଛି ଶହଶହ କୁଇଣ୍ଟାଲ ଧାନ । ତେଣୁ ତୁରନ୍ତ ଧାନ ସରକାର ନେବାକୁ ଦାବି କରିଛନ୍ତି ଚାଷୀ ।

ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ଗାଁ ଭିତରେ ବୁଲୁଛି ହାତୀପଲ । ହାତୀର ଗର୍ଜନ ଶୁଣି ଭୟରେ ଥରୁଛନ୍ତି ଗ୍ରାମବାସୀ ।

ଏପରିକି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ । ଦିନ ସମୟରେ ବି ବୁଲୁଛି ହାତୀ । ହାତୀର ଗାଁ ଭିତରୁ ପ୍ରବେଶ ନେଇ ବନ ବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହେଉ ସେଥିପ୍ରତି ସଜାଗ ରହିଛି ବନବିଭାଗ ।

ବାରମ୍ବାର ଡାକବାଜି ଯନ୍ତ୍ରରେ ଗ୍ରାମବାସୀଙ୍କୁ ସତର୍କ କରାଉଛି ବନବିଭାଗ । ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ। ଅନେକ ପ୍ରକାରର ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଡରାଉଛି । ହେଲେ ଜିଦଖୋର ହାତୀପଲ ଏହାକୁ ମଧ୍ୟ ଡରୁ ନାହାଁନ୍ତି । ଗାଁରେ ଏହି ହାତୀପଲଙ୍କ ପ୍ରବେଶକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଆଖପାଖ ଗାଁ ଲୋକଙ୍କ ମଧ୍ୟ ସମାନ ଅବସ୍ଥା । ଯଦି ଏହି ହାତୀପଲ ପାଖ ଗାଁକୁ ପଳାଏ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ବନବିଭାଗ ଆଶଙ୍କା କରୁଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details