ରାୟଗଡା: ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା ଅଭିଯୋଗ । ବେଙ୍ଗାଲୁରୁରେ ବନ୍ଧା ପଡିଥିବା ରାୟଗଡା ଜିଲ୍ଲାର ସମ୍ପିନୀ ଗାଁର ଜଣେ ଦାଦନ ଶ୍ରମିକ ଏକ ଭିଡିଓ ସେୟାର କରି ଆକୁଳ ନିବେଦନ କରିଛନ୍ତି । ଯେଉଁଥିରେ ତାଙ୍କୁ ଉଦ୍ଧାର କରି ନିଜ ଗାଁକୁ ଫେରାଇ ନେବାକୁ ସେ ନିବେଦନ କରିଥିବା ଦେଖିବାକୁ ମିଳିଛି ।
ବେଙ୍ଗାଲୋରରେ ବନ୍ଧା ପଡିଛନ୍ତି ରାୟଗଡାର ୮ ଦାଦନ ସୂଚନା ଅନୁସାରେ, ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଡା ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଗୁଡି ଗାଁର ଦାଦନ ଦଲାଲ ବାଲାଜୀ ଗମାଙ୍ଗ ଗୁଣପୁର ବ୍ଲକର ଲୁଙ୍ଗୁରୁତାଲ ଗ୍ରାମରୁ 4ଜଣ ଏବଂ ସାମ୍ପିନି ଗ୍ରାମରୁ 4ଜଣ ଲେଖାଏଁ 8 ଜଣ ଦାଦନ ଶ୍ରମିକଙ୍କୁ ବେଙ୍ଗାଲୁରୁରେ ଏକ କମ୍ପାନୀରେ ମାସିକ 10 ହଜାର ଟଙ୍କାର ମଜୁରୀ ଆଶା ଦେଖାଇ ଥିଲେ। ପରେ ସେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟ ସିପକୁଦ ଗାଁର ବାଦଲ ନାମକ ଅନ୍ୟଜଣେ ଦାଦନ ଦଲାଲକୁ ବିକ୍ରି କରିଦେଇଥିଲେ ।
ବାଦଲ ଏହି 8 ଜଣ ଶ୍ରମିକଙ୍କୁ ବେଙ୍ଗାଲୁରୁ କାଡ଼ିରି ପାର୍କ ରୋଡ ନିକଟରେ ଥିବା ମାରିନା ନାମକ ଏକ ଗୃହ ନିର୍ମାଣ କମ୍ପାନୀ ହାତରେ ଟେକି ଦେଇଥିଲେ । ଉକ୍ତ କମ୍ପାନୀର ସୁପରଭାଇଜର ଦିନ ରାତି କାମ କରାଉଥିବା ବେଳେ ଏହି ଦାଦନଙ୍କୁ ଖାଇବାକୁ ନ ଦେବା ଓ ମାଡ଼ ମାରିବା ସେମାନେ ଅଭିଯୋଗ କରିଛନ୍ତି । ପରେ ଏକ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି ବନ୍ଧକ ଥିବା ଯୁବକମାନେ l
ଅନ୍ୟପଟେ ଏମାନଙ୍କୁ ଶୀଘ୍ର ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ଶ୍ରମିକ ନେତା ତ୍ରିପତି ଗମଙ୍ଗ। କେବଳ ଲୁଙ୍ଗୁରୁତାଲ କିମ୍ବା ସାମ୍ପିନି ଗ୍ରାମର ନୁହଁ, ଜିଲ୍ଲାର ଏମିତି ଅନେକ ଦୁର୍ଗମ ଇଲାକାର ପିଲା କାମ ଅନ୍ଵେଶଣରେ ବାହାର ରାଜ୍ୟକୁ ଯାଇ ନିର୍ଯାତିତ ହେଉଛନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କ ତାଲିକା ପ୍ରସ୍ତୁତ କରି ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ