ରାୟଗଡା: ଏ ହେଉଛନ୍ତି ରାୟଗଡା ଜିଲ୍ଲା ପୁକେଲ ଗ୍ରାମର ଦିଉଡୁ ମାଝୀ । ମାତ୍ର ୧୯ ବର୍ଷ ବୟସରୁ ଶଯ୍ୟାଶାୟୀ ହୋଇଯାଇଛନ୍ତି ସେ । ସୁନ୍ଦର ଜୀବନର ସ୍ବପ୍ନ ଦେଖିଥିବା ଦିଉଡୁଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଟ୍ୟୁମର୍ । ହଠାତ୍ ମେରୁଦଣ୍ଡରେ ଏକ ମାଂସପେଶୀ ବଢି ଦିଉଡୁଙ୍କ ଜୀବନକୁ କରିଦେଇଛି ଦୁର୍ବିସହ । ଫଳରେ ତାଙ୍କ ବର୍ତ୍ତମାନ ନଷ୍ଟ ହୋଇଯିବା ସହ ଭବିଷ୍ୟତ ଠେଲି ହୋଇଯାଇଛି ଅନିଶ୍ଚିତତା ଘେରକୁ ।
୧୯ ବର୍ଷରୁ ଶଯ୍ୟାଶାୟୀ ଯୁବକ, ସରକାରୀ ସହାୟତା ପାଇଁ ଆକୁଳ ନିବେଦନ ବାପାଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ବିଧବା ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ ସଂଗ୍ରହ କରି ଟିକିରି ଅଞ୍ଚଳରେ ବିକ୍ରି କରିଲେ ଘର ଚଳେ । ଇତି ମଧ୍ୟରେ ଦୀର୍ଘ ଦୁଇବର୍ଷ ତଳେ ଦିଉଡୁଙ୍କ ମେରୁଦଣ୍ଡ ଛୋଟିଆ ମାଂସ ପିଣ୍ଡୁଳା ଟିଏ ବାହାରିଥିଲା । କଷ୍ଟ ହେବା ସହିତ ଏହାର ଆକାର ମଧ୍ୟ ଧିରେ ଧିରେ ବଢ଼ିବାରେ ଲାଗିଲା । ଅଭାବ ଅନାଟନ ସତ୍ତ୍ବେ ପୁଅର ଚିକିତ୍ସା ପାଇଁ ବିଧବା ମାଆ ଗାଁ ଲୋକଙ୍କ ଠାରୁ ଧାରକରଜ କରି ରାୟଗଡା ଜିଲ୍ଲା ଡାକ୍ତରଖାନାରେ ପୁଅର ଚିକିତ୍ସା କରାଇଥିଲେ । ଏହାପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ଓ ବ୍ରହ୍ମପୁର ବଡ ଡାକ୍ତରଖାନା ସହ ଭୁବନେଶ୍ୱର ସ୍ଥିତ ଏମ୍ସକୁ ମଧ୍ୟ ନେଇଥିଲେ ।
କିନ୍ତୁ ତାଙ୍କୁ ତୁରନ୍ତ ଚିକିତ୍ସା କରାନଯାଇ ଗୋଟେ ମାସ ପରେ ଆସିବାକୁ କହିଥିଲେ ଏମ୍ସ ଡାକ୍ତର । ମାତ୍ର ପରବର୍ତ୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା । ବର୍ତ୍ତମାନ ଅସହ୍ୟ ଯନ୍ତ୍ରଣାରେ ଦିଉଡୁ ମାଝୀ ଖଟରେ ପଡି ମରଣ ସହ ସଂଘର୍ଷ କରୁଛନ୍ତି । ଏପଟେ ବିଧବା ମାଆ ସରକାରଙ୍କ ସହାୟତାକୁ ଅପେକ୍ଷା କରି ଭଗବାନଙ୍କ ଉପରେ ଭରସା କରିଛନ୍ତି । ଏନେଇ ଆମେ ଜିଲ୍ଲା ଚିକିତ୍ସା ଅଧକାରୀଙ୍କ ନଜରକୁ ଦିଉଡୁ ମାଝୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଣିବାପରେ ଏକ ଡାକ୍ତରୀ ଟିମକୁ ବଡ଼ ପୁକେଲ ଗାଁକୁ ଦିଉଡୁ ମାଝୀର ସ୍ୱାସ୍ଥ୍ୟ ଅବସ୍ଥା ପରଖିବା ପାଇଁ ପଠାଯାଇଛି, ରିପୋର୍ଟ ମିଳିବାପରେ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ସହିତ ଆବଶ୍ୟକ ସ୍ଥଳେ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ।ତେବେ ସରକାରଙ୍କ ମାଳମାଳ ଯୋଜନା ଯୋଜନା ଦିଉଡଙ୍କ ନିକଟରେ କେବେ ପହଞ୍ଚୁଛି ଆଉ ସେ କେବେ ସୁସ୍ଥ ହୋଇ ନୂଆ ଜୀବନ ଆରମ୍ଭ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ