ରାୟଗଡା: ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହାର ଜୁନ୍ ମାସରୁ ହ୍ରାସ ପାଇବା ପରେ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି 16 ଦିନ ବୃଦ୍ଧି କରିଥିଲେ ସୁଦ୍ଧା ସମସ୍ତ ଜିଲ୍ଲାରେ କଟକଣା ଆସନ୍ତା ଜୁଲାଇ 16ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟବିକ୍ରୟ ପାଇଁ ସକାଳ 6ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ସଦର ମହକୁମାରେ ମଧ୍ୟ କୋଭିଡ-19 କଟକଣା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ପୂର୍ବପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ନିୟମକୁ କିପରି କଡାକଡି ଭାବେ ମାନୁଛନ୍ତି ତାର ସମୀକ୍ଷା କରିଥିଲେ ଜିଲ୍ଲାପାଳ ।
ଶୁକ୍ରବାର ପୂର୍ବାହ୍ନରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବା ସହିତ ସ୍ଥିତିର ଅନୁଧ୍ୟାନ କରିଥିଲେ । ବିଶେଷ କରି କପିଳାସ ଛକ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଓ ଓଭର ବ୍ରିଜ ତଳେ ଥିବା ପରିବା ବଜାର ମୁଖ୍ୟ ବଜାର ପରିକ୍ରମା କରି ବ୍ୟବସାୟୀମାନଙ୍କୁ ନିୟମ ମଧ୍ୟରେ ରହି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବଣିକ ସଂଘ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଆଲୋଚନା କରିଥିଲେ ।