ରାୟଗଡା: ରାଜ୍ୟରେ ପୁଣି କୋରୋନା ଭୟ ସୃଷ୍ଟି ହୋଇଛି । ଗତ ବର୍ଷ କୋରୋନା ପାଇଁ ବେଶ ଚର୍ଚ୍ଚାରେ ଥିବା ରାୟଗଡା ଜିଲ୍ଲାରେ ପୁଣି କୋରୋନା ଭୟ ସୃଷ୍ଟି ହୋଇଛି । ସାରା ରାଜ୍ୟ କୋରୋନା ପାଇଁ ରେଡ ଜୋନରେ ଥିବା ବେଳେ ଗ୍ରୀନ ଜୋନ ଭାବେ ବାହା ବାହା ନେଇଥିଲା ରାୟଗଡା ଜିଲ୍ଲା ପ୍ରଶାସନ । ବର୍ତ୍ତମାନ କୋରୋନା ପୁଣି ଫେରିଥିବାରୁ ଏହାର ମୁକାବିଲା କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଜିଲ୍ଲାରେ ଟିକିଏ ଅବହେଳା ପାଇଁ ଗୋଟିଏ ଗୋଟିଏ ଗାଁକୁ ଗ୍ରାସ କରିଥିଲା କୋରୋନା । କାରଣ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା ଅନେକ ବେକାର ଯୁବକ ଯୁବତୀ କାମଧନ୍ଧା ଅଭାବରୁ ପୁଣି ଦାଦନ ମୁହାଁ ହୋଇଛନ୍ତି । ବିଶେଷକରି ଆନ୍ଧ୍ର , କେରଳ ,ତାମିଲନାଡୁ ଓ ମହାରାଷ୍ଟ୍ର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଦେଖାଦେଇଛି । ତେବେ ମହାରାଷ୍ଟ୍ର ଓ କେରଳ ରାଜ୍ୟରେ ପୁଣି କୋରୋନା ଆତଙ୍କ ଦେଖା ଦେଇଥିବାରୁ ଜିଲ୍ଲାର ଦାଦନମାନେ ନିଜନିଜ ଅଞ୍ଚଳକୁ ଫେରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ 8439 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ 8385 ଜଣ ସୁସ୍ଥ ହୋଇଛନ୍ତି ।