ରାୟଗଡା:କାଶୀପୁର ବ୍ଲକରେ ଆତଙ୍କ ଖେଳାଇଛି ଝାଡାବାନ୍ତି । ମୃତକଙ୍କ ସଂଖ୍ୟା ଏବେ ୭କୁ ବୃଦ୍ଧି ପାଇଛି । ପୂର୍ବରୁ ମାତ୍ର ଦୁଇ ଦିନ ମଧ୍ୟରେ କାଶୀପୁରରେ ୬ ଜଣ ଝାଡାବାନ୍ତିରେ ଆଖି ବୁଜି ଥିବାବେଳେ ଶନିବାର ପଞ୍ଚାଳି ଗାଁର ଜଣକର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ହେଉଛନ୍ତି ଗ୍ରାମର ୫୦ ବର୍ଷୀୟ ଅଗାଧୁ ଗରଡା । ଉଷାପଡା ସ୍ଥିତ ଉତ୍କଳ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଗତ ତିନିଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ । ତେବେ ଏହି ଝାଡାବାନ୍ତି ଆକ୍ରାନ୍ତ ଓ ମୃତକଙ୍କ ସ୍ଥିତି ଦେଖି ପୁଣି ଅଞ୍ଚଳବାସୀଙ୍କ ମନରେ ପୁଣି କଲେରା ଭୟ ସୃଷ୍ଟି ହୋଇଛି ।
କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ୬୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଗାଁକୁ ଏହା କବଳିତ କରିବାରେ ଲାଗିଛି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଉତ୍କଳ ଆଲୁମିନାର ଉତ୍କଳ ହସ୍ପିଟାଲର ରିପୋର୍ଟ ମୁତାବକ, ଗତ ଏକ ସପ୍ତାହ ଧରି ଉଷାପଡାର ଉତ୍କଳ ହସ୍ପିଟାଲରେ ୧୨୨ ଜଣ ଡାଇରିଆ ରୋଗୀ ପଞ୍ଜିକୃତ ହୋଇଛନ୍ତି । ଏମାନେ ଡାଇରିଆ ଓ ତରଳ ଝାଡାରେ ଆକ୍ରାନ୍ତ ଥିବା ଦର୍ଶାଯାଇଛି । ଏମାନଙ୍କ ମଧ୍ୟରୁ ୭୪ ଜଣ ରୋଗୀଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯାଇ ଘରକୁ ପଠାଯାଇଛି । ୪୮ ଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଥିବା ଜଣାପଡିଛି ।
ଏଠି ପ୍ରଶ୍ନ ଉଠିଛି ସପ୍ତାହ ପୂର୍ବରୁ ଯଦି ଡାଇରିଆ ଦେଖାଦେଲାଣି ତେବେ କାହିଁକି ପ୍ରାଥମିକ ସ୍ତରରୁ ଚିକିତ୍ସା କରାଗଲା ନାହିଁ ? ଯାହାଫଳରେ ଝାଡାବାନ୍ତି ଯୋଗୁଁ ଅକାଳରେ ଝଡି ପଡୁଛି ଜୀବନ । ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗର ବିଳମ୍ବିତ ପଦକ୍ଷେପ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଦାୟିତ୍ବହୀନତା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ବର୍ତ୍ତମାନ ଏହି ବ୍ଲକର ୬୦ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କ ଚିକିତ୍ସା ଚାଲିଛି । ଆକ୍ରାନ୍ତମାନେ ହେଲେ ଟିକିରି ଗ୍ରାମର ଚଞ୍ଚଳା ଊରୁବୁଡି(୬୫), ଦୁର୍ଯ୍ୟୋଧନ ଝୋଡିଆ (୨୫), ପ୍ରଫୁଲ୍ଲ ବେହେରା(୩୧), କାଶୀପୁରର ମଧୁସୁଦନ ନାଏକ(୬୫), କୁଚେଇପଦର ଗ୍ରାମର ଆଲାମେ ମାଝୀ(୭୨), ଅଣ୍ଡିରାକଞ୍ଚର ଜନମତି ନାଏକ(୫୦), ସୁରୁଗୁଞ୍ଜା ଗ୍ରାମର ସୁବାନି ମାଝୀ(୫୦) ।