ଓଡିଶା

odisha

ETV Bharat / state

କାଶୀପୁର ହଇଜା ମୃତ୍ୟୁ: ସଠିକ୍ ତଥ୍ୟ ଲୁଚାଉଛନ୍ତି ସରକାର !

କାଶୀପୁର ହଇଜା ମୃତ୍ୟୁସଂଖ୍ୟାକୁ ନେଇ ଦ୍ବନ୍ଦରେ ରାଜ୍ୟବାସୀ । ସରକାରୀ ତଥ୍ୟରେ ରହୁନି ତାଳମେଳ । ରାୟଗଡା ଜିଲ୍ଲା ପ୍ରଶାସନ ଗୋଟିଏ କଥା କହୁଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭିନ୍ନ ତଥ୍ୟ ଦେଉଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି, ସଠିକ୍ ହଇଜା ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି କି ସରକାର ?

By

Published : Jul 29, 2022, 7:05 PM IST

Updated : Jul 29, 2022, 8:59 PM IST

କାଶୀପୁର ହଇଜା ମୃତ୍ୟୁ: ସଠିକ୍ ତଥ୍ୟ ଲୁଚାଉଛନ୍ତି ସରକାର
କାଶୀପୁର ହଇଜା ମୃତ୍ୟୁ: ସଠିକ୍ ତଥ୍ୟ ଲୁଚାଉଛନ୍ତି ସରକାର

ରାୟଗଡା: କାଶୀପୁର ବ୍ଲକରେ ଆତଙ୍କ ଖେଳାଇଛି ହଇଜା । ଦିନେ ଦୁଇ ଦିନ ବ୍ୟବଧାନରେ ଜଣେ ଦୁଇ ଜଣଙ୍କ ମୃତ୍ୟୁ ଘଟୁଛି । ଏବେସୁଦ୍ଧା ମୋଟ ୧୨ ଜଣ ହଇଜାରେ ପ୍ରାଣ ହରାଇଥିବା ଗଣମାଧ୍ୟମ ତଥ୍ୟରୁ ଜଣାପଡିଛି । ହେଲେ ଅନ୍ୟପଟେ ସରକାରୀ ତଥ୍ୟକୁ ନେଇ ଦ୍ବନ୍ଦରେ ପଡିଛନ୍ତି ରାଜ୍ୟବାସୀ । କାରଣ ସରକାରୀ ତଥ୍ୟରେ ତାଳମେଳ ରହୁନି । କାଶୀପୁରରେ ହଇଜା ମୃତ୍ୟୁ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଗୋଟିଏ ତଥ୍ୟ ଦେଉଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭିନ୍ନ କଥା କହୁଛନ୍ତି ।

କାଶୀପୁର ହଇଜା ମୃତ୍ୟୁ: ସଠିକ୍ ତଥ୍ୟ ଲୁଚାଉଛନ୍ତି ସରକାର !

ଗତ ୯ ତାରିଖରୁ ଜୁଲାଇ ୨୭ ତାରିଖ ସୁଦ୍ଧା ୯ ଜଣଙ୍କ ଝାଡାବାନ୍ତିର ମୃତ୍ୟୁ ହୋଇଥିବା ରାୟଗଡା ଜିଲ୍ଲାପାଳ କହିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟପଟେ କିଛି ଦିନ ଆଗରୁ କାଶୀପୁର ଗସ୍ତ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଏହି ଦୁଇ ତଥ୍ୟ ଠାରୁ ଅଲଗା ରହିଛି । ଗତ ୨୩ ତାରିଖ ସୁଦ୍ଧା ମୋଟ ୯ ଜଣ ହଇଜାରେ ଆଖି ବୁଜିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପୂର୍ବରୁ କହିଛନ୍ତି । ତେଣୁ ସରକାର ହଇଜା ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି କି ? ବୋଲି ପ୍ରଶ୍ନ ଉଠିଛି ।

ଗଣମାଧ୍ୟମ ତଥ୍ୟ ଅନୁସାର, ଗତ ୯ ତାରିଖରୁ ୨୭ ତାରିଖ ମଧ୍ୟରେ କାଶୀପୁରରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ୨୭ ତାରିଖ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ଯଦି ଆମେ ଗଣମାଧ୍ୟମ ତଥ୍ୟକୁ ଦେଖିବା, ତେବେ ପ୍ରଥମେ ଦୁଡୁକାବାହାଲ ଗ୍ରାମର ସବିତା ନାୟକ ଝାଡାବାନ୍ତିରେ ଆଖି ବୁଜିଥିଲେ । ଏହାପଛକୁ ଟିକିରି ଗ୍ରାମର ଧୋବା ମାଝି, ରଜନୀ ଝୋଡିଆ, ଅଞ୍ଜ ଝୋଡିଆ, ସରୋଜନି ଝୋଡିଆ, ଗୋବରଘାଟି ଗାଁର କାନେଇ ମାଝି, ପଞ୍ଚ।ଳୀ ଗ୍ରାମର ଅଗଧୁଆ ଗରଦା, ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝି, ମୁଗୁଡା ସାହିର ସୁନି ମାଝି, ମାଟିକଣାର ଡାଲମେ ମାଝି, ଶଙ୍କରଡା ଗାଁ ଝାନୁ ମାଝି, ପାନବନ୍ଧ ଗାଁର ବିଟା ମାଝିଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏଥିରୁ ଶେଷ ତିନୋଟି ମୃତ୍ୟୁକୁ ତାଲିକାଭୁକ୍ତ କରିନି ସ୍ବାସ୍ଥ୍ୟ ବିଭାଗ ।

ଟିକିରି ଜାମୁଗୁଡା ସାହିର ସୁନି ମାଝିଙ୍କ ନିକଟରେ ଯେଉଁ ସବୁ ଲକ୍ଷଣ ଥିଲା । ଡାଲମେ ମାଝି , ଝାନୁ ମାଝି ଓ ବିଟା ମାଝି ପାଖରେ ମଧ୍ୟ ସମାନ ଲକ୍ଷଣ ଥିବାବେଳେ ପରିବାର ପକ୍ଷରୁ ମଧ୍ୟ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା କୁହାଯାଉଛି । କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ଗ୍ରହଣ କରୁନାହିଁ । ଏପଟେ ହଇଜା ମୃତ୍ୟୁରେ ତାଳମେଳ ନ ଥିବା କଥା ବିଧାନସଭାରେ ବି ଉଠିଛି । ସରକାର ହଇଜା ମୃତ୍ୟୁ ତଥ୍ୟ ଲୁଚାଉଥିବାର ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ । ହଇଜା ମୃତ୍ୟୁସଂଖ୍ୟା ତାଳମେଳ ନ ରହିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ଦେଖାଦେଇଛି ।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗତ ତିନି ସପ୍ତାହ ମଧ୍ୟରେ ହଇଜା ଆତଙ୍କ ଖେଳାଇଛି । ତେଣୁ ପୁନର୍ବାର ଅନୁଧ୍ୟାନ ପାଇଁ ଗୁରୁବାର ଆରଏମଆରସି ଟିମ୍ ରାୟଗଡା ଗସ୍ତ କରିଥିଲେ । ଟିମ୍‌ ମୁଖ୍ୟ ଡାକ୍ତର ବିଭୁତିଭୂଷଣ ପାଳଙ୍କ ନେତୃତ୍ବରେ ୪ ଜଣ ଆସି ଆଜି କାଶୀପୁର ବ୍ଲକର ବିଭିନ୍ନ ପ୍ରଭାବିତ ଗ୍ରାମକୁ ଯାଇଥିଲେ । ମୁଖ୍ୟତଃ ଗତ ୪ ଦିନ ଭିତରେ ଯେଉଁ ସବୁ ଗାଁମାନଙ୍କରେ ଝାଡାବାନ୍ତି ବ୍ୟାପିଛି ସେଠାକୁ ଏହି ଟିମ୍ ଯାଇଥିଲେ । ଡେଙ୍ଗାଗୁଡା, କପାଡାଙ୍ଗ, ପାନବନ୍ଧ, ଜାମୁଗୁଡାଗ୍ରାମକୁ ଯାଇ ଟିମ୍ ଜଳ ଓ ମଳ ନମୁନା ସଂଗ୍ରହ କରିଥିବା ଜଣାପଡିଛି । ଏହି ନମୁନା ପରୀକ୍ଷଣ ପରେ ହଇଜା ନିନ୍ତ୍ରଣକୁ ନ ଆସିବାର କାରଣ ଜଣାପଡିବ ବୋଲି କୁହାଯାଇଛି ।

ପୂର୍ବରୁ କାଶୀପୁରରେ ଭିବ୍ରିଓ କଲେରା ଏବଂ ଇ-କଲାଇଟ ଜୀବାଣୁ ଠାବ ହୋଇଥିଲା । ଏହାବ୍ୟତୀତ ଅନ୍ୟ କିଛି ଜୀବାଣୁ ରହିଛି ନା ନାହିଁ ତାହାର ଅନୁସନ୍ଧାନ କରାଯିବ ବୋଲି ଡାକ୍ତର ବିଭୁତିଭୂଷଣ ପାଳ କହିଛନ୍ତି । ତେବେ କାଶୀପପୁର ବ୍ଲକରେ ଗତ 25 ଦିନରୁ ଅଧିକ ସମୟ ହେବ ବ୍ୟାପିଥିବା ହଇଜା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହେଉଥିବା ଅନୁମାନ କରାଯାଉଛି । ପ୍ରତିଦିନ ନୂଆ ନୂଆଗ୍ରାମ ଯଦିଓ ହଇଜା ପ୍ରଭାବିତ ତାଲିକାରେ ଯୋଡି ହେଉଛି ତଥାପି ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି ।

ବର୍ତ୍ତମାନ ହଇଜା ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ''ବିଗତ ଦୁଇ ଦିନ ଧରି କାଶୀପୁର ବ୍ଲକରେ ବର୍ଷା ନଥିବା ଯୋଗୁଁ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି ।'' ଯଦି ଏଭଳି ଶୁଖିଲା ପାଗ ଆଉ ଦୁଇ-ଚାରି ଦିନ ଲାଗି ରହେ ତେବେ ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିବ ବୋଲି ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ । ଗଣମାଧ୍ୟମ ତଥ୍ୟ ଅନୁସାରେ, ବର୍ତ୍ତମାନ ହାଇଜାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଏଣେ ଆଜି ବିଭିନ୍ନ ମେଡିକାଲରେ ୪୮ ଜଣ ହଇଜା ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ଉଷାପଡା ଉତ୍କଳ ହସ୍ପିଟାଲରେ ୧୪, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୨, ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ୧୪, ଟିକିରି ଉତ୍କଳ ମେଡିକାଲରେ ୧୦ ଜଣ ଭର୍ତ୍ତି ହୋଇଛନ୍ତି । ସେହିଭଳି କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏତଦ୍ ବ୍ୟତିତ ଗୁରୁବାର ଭ୍ରାମ୍ୟମାଣ ୮ ଟି ସ୍ବାସ୍ଥ୍ୟସେବା ଟିମ୍ ବିଭିନ୍ନ ଦୁର୍ଗମ ଗାଁଗୁଡିକରେ ପ୍ରାୟ ୫୦ ଜଣଙ୍କ ଚିକିତ୍ସା କରିଛନ୍ତି ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jul 29, 2022, 8:59 PM IST

ABOUT THE AUTHOR

...view details