ରାୟଗଡା:ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗର ଚେତା ପଶିଛି । କଲ୍ୟାଣସିଂହପୁର ବ୍ଲକ ମହକୁମା ଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ପୋଲ ଦବିବା ନେଇ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ନିମ୍ନମାନର କାମକୁ ନେଇ ସ୍ଥାନୀୟଲୋକେ ବାରମ୍ବାର ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ ପରେ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ହେଲେ ଏନେଇ ଖବର ପ୍ରସାରଣ ପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ନିର୍ମାଣ ହୋଇଥିବା ନାଗାବଳୀ ସେତୁର ଅନୁଧ୍ୟାନ କରି ସମ୍ପୂର୍ଣ୍ଣ ଆପ୍ରୋଚ ରୋଡରୁ ମାଟି ବାହାର କରି ନୂତନ ଭାବେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମ ସବୁବେଳେ ଲୋକମାନଙ୍କ ସୁବିଧା ଅସୁବିଧାକୁ ସରକାର ନିକଟରେ ପହଞ୍ଚାଇଥାଏ । ଖବର ପ୍ରକାଶ ପରେ ପ୍ରଶାସନର ଏହାର ସମାଧାନ ଦିଗରେ କାର୍ଯ୍ୟ କରିଥାଏ । ତେବେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଠାରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ସଦର ମହକୁମାର ପ୍ରବେଶ ପଥରେ ନୂତନ ଭାବେ ନିର୍ମାଣ ହୋଇଥିବା ନାଗାବଳୀ ବ୍ରିଜ ଧସିବାକୁ ବସିଥିବାବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିଲେ। ହେଲେ ନବନିର୍ମିତ ପୋଲ ଦବିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ତତ୍ପରତା ଦେଖାଇ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ..ମରଣଯନ୍ତା ପାଲଟିଛି ପଳାଶୁଣୀ-ହାଇଟେକ ଛକ ରାସ୍ତା, ମରାମତି ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ