ରାୟଗଡା: ଡାକ୍ତରୀ ପୁଅର ଚିକିତ୍ସା ପାଇବା ଆଶା, ଅଧୁରା ରହିଗଲା ବାପାର । ଇଚ୍ଛା ଥିଲା ଦିନେ ପୁଅ ଡାକ୍ତର ପଢି ଅଞ୍ଚଳର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବ ଏବଂ ନିଜର ମଧ୍ୟ ଚିକିତ୍ସା କରିବ । ହେଲେ ବିଧିର ବିଧାନ ଆଗରେ ସବୁ ଆଶା ପାଣି ଫୋଟକା ପରି ମିଳେଇଗଲା । ପୁଅର ଡାକ୍ତରୀ ପାଠ ସରିବା ଆଗରୁ ବାପା ଆରପାରିକୁ ଚାଲିଗଲେ । ମାତ୍ର ବାପାଙ୍କର ଆଶା ପୂରଣ କରିବାକୁ ଯାଇ ପୁଅ ବାପାଙ୍କ ମୃତଦେହକୁ ଷ୍ଟେଥୋସ୍କୋପରେ ପରୀକ୍ଷା କରିଲେ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଗୁଡିଆବନ୍ଧ ଗାଁରେ ।
ବାପା ଏଲ ସୋମେଶ୍ବର ରାଓଙ୍କ ଇଚ୍ଛା ଥିଲା ପୁଅ ଏଲ ରାକେଶ ବଡ ହୋଇ ଡାକ୍ତରୀ ପଢି ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ସେବା କରିବ । ତାଙ୍କର ଅସୁସ୍ଥତା ସମୟରେ ଚିକିତ୍ସା କରିବ । ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଡାକ୍ତରୀ ପଢୁଥିଲେ ରାକେଶ । ଆଉ କେଇଟା ଦିନ ପରେ ପୁଅର ଡାକ୍ତରୀ ପାଠ ଶେଷ ହୋଇ ଗୋଟିଏ ଡାକ୍ତର ହୋଇଥାନ୍ତେ । ହେଲେ ନିଜ ପୁଅକୁ ଡାକ୍ତର ଭାବେ ଦେଖିବା ପୂର୍ବରୁ ଆଖି ବୁଜି ଦେଇଛନ୍ତି ସୋମେଶ୍ବର । କିନ୍ତୁ ବାପାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ମୃତ ବାପାଙ୍କୁ ଷ୍ଟେଥୋସ୍କୋପ ସହାୟତାରେ ଚିକିତ୍ସା କରିଛନ୍ତି ରାକେଶ ।