ରାୟଗଡା: ଅଭିଶପ୍ତ ନିୟମଗିରିର ଅଭିଶପ୍ତ ଡଙ୍ଗରିଆ କନ୍ଧ । ସରକାରଙ୍କ କମ୍ପାନୀ ପ୍ରୀତି ଯୋଗୁଁ ପିଢିପିଢି ଧରି ବସବାସ କରୁଥିବା ନିୟମଗିରିର ଏହି ଡଙ୍ଗରିଆ କନ୍ଧ ବିକାଶ ଠାରୁ ବହୂ ଦୂରରେ । କିନ୍ତୁ ଏବେ ନିଜ ହକ ପାଇଁ ଛିଡା ହୋଇଛନ୍ତି ଏମାନେ । ଆମ ଉନ୍ନତି ନିମନ୍ତେ ପ୍ରକଳ୍ପ କର, ବେଦାନ୍ତକୁ ସୁହାଇଲା ଭଳି ପ୍ରକଳ୍ପକୁ ବାଦ ଦେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଡଙ୍ଗରିଆ କନ୍ଧ ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ପାରସାଲି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ପ୍ରାୟ ୩୭ଟି ଗାଁର ମୁଖ୍ୟଙ୍କୁ ନେଇ ଏହି ବୈଠକ ହେଇଥିଲା । ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦୀର୍ଘଦିନରୁ କାର୍ଯ୍ୟ କରୁଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଏବଂ ଓପିଲିପି ପ୍ରକଳ୍ପକୁ ପ୍ରବଳ ବିରୋଧ କରିଛନ୍ତି । କାରଣ ଦୀର୍ଘ ଦିନରୁ ଏହି ପ୍ରକଳ୍ପ କାର୍ଯ୍ୟ କରୁଥିଲେ ମଧ୍ୟ ଡଙ୍ଗରିଆ କନ୍ଧମାନଙ୍କ ଏପର୍ଯ୍ୟନ୍ତ ଉନ୍ନତି ହୋଇପାରିନାହିଁ । ଫଳରେ ଉକ୍ତ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହିତ ଏକ ସୁବ୍ୟବସ୍ଥିତ ବିଦ୍ୟାଳୟ, ଉତ୍ତମ ସ୍ବାସ୍ଥ୍ୟ ସେବା, ବ୍ୟାଙ୍କ ସେବା ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।