ରାୟଗଡା: ସରକାରୀ ସଂସ୍ଥା ଓପେଲିପିର ହରିଲୁଟ୍ ଅଭିଯୋଗ । ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ପ୍ରଶ୍ନ କରିଲେ ବିରଳ ଜନଜାତି ଡଙ୍ଗରିଆ ମହିଳା ଟିମି ପୁଷିକା । “ଆଜ୍ଞା ପଇସା ପଠେଇଥିଲି । ତତେ ମଳିଲାକି ?" ବୋଲି ସୁଦୂର ନିୟମଗିରି ପାହାଡରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ସେ ପ୍ରଶ୍ନ କରିଛନ୍ତି । ଜଣେ ଡଙ୍ଗରିଆ ମହିଳା ହୋଇ ପାଟି ଖୋଲିଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଭିଯୋଗ ଅନୁସାରେ, ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ(ଓପିଲିପି) ସହିତ ଆକୁସୁସ ନାମକ ଏକ ଏନଜିଓ ଦ୍ୱାରା ଏହି ଯୋଜନାକୁ ସାକାର କରିବା କାର୍ଯ୍ୟ ତୁଲାଇ ଆସୁଛି । ପ୍ରବେଶ ଦ୍ୱାରରେ ଓଡିଶା ସରକାର, ଆଇଫାଡ ଓ ଓପିଲିପିର ବଡବଡ ସୂଚନା ଫଳକ ଲଗାଇ ପାହାଡ ଭିତରେ ନିରୀହ ଆଦିବାସୀଙ୍କ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରୁଛନ୍ତି ଏହି କର୍ମଚାରୀ । ଆଉ ଋତୁଭିତ୍ତିକ ଚାଷ ବ୍ୟବସାୟ ନାମରେ ୨୭ହଜାର ଟଙ୍କା ଦେଇ ସେଥିରୁ ୬ହଜାର ୫ଶହ ଟଙ୍କା ବାଟମାରଣା କରିଥିବା ନେଇ ଟିମି ଅଭିଯୋଗ କରିଛନ୍ତି । ଏନେଇ ସେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ପ୍ରଶ୍ନ କରିଛନ୍ତି । ଜଣେ ଡଙ୍ଗରିଆ ମହିଳା ବାହାରକୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଷମକଟକ ବ୍ଲକର ଚାଞ୍ଚଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡ ପାଦଦେଶରେ ବାଲାପାଇ ଗାଁ । ବ୍ୟବସାୟ କରିବା ପାଇଁ ଗ୍ରାମର ଟିମି ପୁଷିକାଙ୍କୁ ୨୭ ହଜାର ଟଙ୍କା ଦିଆଯାଇଥିଲା । ଏହି ଟଙ୍କା ଟିମିଙ୍କ ଜମା ଖାତାକୁ ଆସିବା ପରେ ବାବୁମାନେ ଟିମିଙ୍କ ଘର ଦାଣ୍ଡରେ ଆସି ପହଞ୍ଚିଥିଲେ । ଆଉ ଓଜନ କରିବା ପାଇଁ ଡିଜିଟାଲ ନିକିତି ଯାହାର ଦାମ ୭ହଜାର ୯ଶହ ଟଙ୍କା, ସେହିପରି ୫ହଜାର ୫ଶହ ଟଙ୍କା ମୂଲ୍ୟର ଗୋଟିଏ ସାଇକେଲ ଏବଂ ୮ଶହ ଟଙ୍କା ଦେଇ ଦୁଇଟି ଚୌକି କିଣିଦେଇଥିଲ । ପରେ ଆସି ଜମା ଖାତରେ ଥିବା ଟଙ୍କାରୁ ୬୫୦୦ ଟଙ୍କା ମାଗି ନେଇଯାଇଥିବା ଟିମି ପୁଷିକା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଧିକାରୀଙ୍କ ଆଗରେ ରମେଶ ନାଲା, ସହଦେବ ଭଳି କିଛି ବ୍ୟକ୍ତିବିଶେଷଙ୍କ ନାମ ଟିମିଙ୍କ ମୁହଁରୁ ବାରମ୍ବାର କହୁଥିବା ଶୁଣିବାକୁ ମିଳିଥିଲା । ଅଫିସରମାନେ ଏ ଟଙ୍କା ନେବେ ବୋଲି ରମେଶ ଓ ସହଦେବ ତାଙ୍କୁ ଭିଡିଓ କଲ ମାଧ୍ୟମରେ କହିଥିଲେ ବୋଲି ସେ କହିଥିଲେ । ଆଉ ସେଥିପାଇଁ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜୋର୍ କରି ପଚାରିଥିଲେ, “ଆଜ୍ଞା ପଇସା ପଠେଇଥିଲି । ତତେ ମଳିଲାକି ?”