ରାୟଗଡ଼ା:ଓଡିଶାର ଆଦିବାସୀ ଲୋକକଳା ଏବଂ ହସ୍ତଶିଳ୍ପର ସ୍ବତନ୍ତ୍ର ପରିଚୟ ରହିଛି । ଓଡ଼ିଶାର ଅନନ୍ୟ ସଂସ୍କୃତିର କଥା କହେ ଏମାନଙ୍କ ନିଖୁଣ କାରିଗରି। ରାଜ୍ୟର ଆଦିବାସୀ ଦୁର୍ଗମ ଅଞ୍ଚଳ ରାୟଗଡା ଜିଲ୍ଲା ନିୟମଗିରିର ଡଙ୍ଗରିଆ କନ୍ଧ ପ୍ରଦର୍ଶନ କରେ କଳା ନୈପୁଣତାର ନିଚ୍ଛକ ନିଦର୍ଶନ । ଏହି ଡଙ୍ଗରିଆଙ୍କୁ ପରିଚୟ ଦେଇଛି ତାଙ୍କ ହାତ ତିଆରି ବାନ୍ଧକଳା କପଡାଗୁନ୍ଦା ବା ସାଲ । ହେଲେ ସମୟ ବଦଳିବା ସହ ବାନ୍ଧକଳା କପଡାଗୁନ୍ଦା ଏବେ ବିଲୁପ୍ତ ହେବାକୁ ବସିଛି। ହେଲେ ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ଡଙ୍ଗରିଆ ଆଦିବାସୀଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଆଗେଇ ଆସିଛି ଡିକେଡିଏ ଓ ଆକ୍ସନ ଏଡ ଅନୁଷ୍ଠାନ।
ପରିବର୍ତ୍ତନର ସମୟ ଚକ୍ରରେ ବାଦ ପଡ଼ିନାହିଁ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ କଳା ସସ୍କୃତି । ହଜିବାକୁ ବସିଛି କପଡାଗୁନ୍ଦା ବାନ୍ଧକଳା । ନିୟମଗିରି ଡଙ୍ଗରିଆଙ୍କ ହାତ ତିଆରି ଶାଲ ବା କପଡାଗୁନ୍ଦା । ସମୟାନୁକ୍ରମେ ଲୁପ୍ତ ହେବାରେ ବସିଲାଣି ସେମାନଙ୍କ ନିତିଦିନିଆ ବ୍ୟବହାର୍ଯ୍ୟ ବାନ୍ଧକଳା । ଯେଉଁ କଳା ପାଇଁ ଦିନେ ସାତ ଦରିଆ ପାରିରୁ ଭିଡ଼ ଜମୁଥିଲା । ଆଜି ସେହି ଭିଡ଼ ଆଉ ଦେଖିବାକୁ ମିଳୁନି । ବଜାରର ରଙ୍ଗବେରଙ୍ଗ ସାଲ ଆଗରେ ଫିକା ପଡ଼ିଛି କପଡାଗୁନ୍ଦା । ହାତ ଗଣତି ଅନୁଭୂତି କାରିଗରଙ୍କୁ ଛାଡ଼ିଦେଲେ ଯୁବପିଢ଼ି ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି ।
ଡଙ୍ଗରିଆ ସମ୍ପ୍ରଦାୟରେ ବିବାହ ଉତ୍ସବ ହେଉ କିମ୍ବା କୌଣସି ପର୍ବ ପର୍ବାଣି ସବୁଥିରେ ଲୋଡାପଡେ ଡଙ୍ଗରିଆ ରମଣୀଙ୍କ ହାତ ତିଆରି କପଡାଗୁନ୍ଦା ବା ସାଲ । ଏହି ସାଲ ବା କପଡାଗୁନ୍ଦାକୁ ଏକ ଧଳା ରଙ୍ଗର ସଲ ଉପରେ ବିଭିନ୍ନ ପ୍ରକୃତିକ ରଙ୍ଗରରେ ରଙ୍ଗାୟତ ସୁତା ସାହାଯ୍ୟରେ ନିଜ ହାତରେ ବିଭିନ୍ନ ପାରମ୍ପରିର ଚିତ୍ରରେ ତିଆରି କରିଥାନ୍ତି ଆଦିମ ଜନଜାତି ସମ୍ପ୍ରଦାୟ । କିନ୍ତୁ ଏହି ଧଳା କପଡାକୁ କେବଳ ବିଷମକଟକ ବ୍ଲକ ଝିଗିଡି ଗ୍ରାମର କିଛି ବୃଦ୍ଧ ତିଆରି କରିଥାନ୍ତି । ବୟସ ବୃଦ୍ଧି ଯୋଗୁଁ ଧଳା କପଡା ଅଭାବ ଫଳରେ ଡଙ୍ଗରିଆଙ୍କ କପଡାଗୁନ୍ଦା ବା ସାଲର ଉତ୍ପାଦନ ଧିରେ ଧିରେ ଲୋପ ପାଇବାକୁ ବସିଛି । ନିୟମଗିଗିର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ ବା କପଡାଗୁନ୍ଦା ଏବେ ବିଲୁପ୍ତ ହେବାକୁ ବସିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ ।
ଏହା ମଧ୍ୟ ପଢ଼ନ୍ତୁ:ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା