ରାୟଗଡ଼ା:ଧରାପୃଷ୍ଟକୁ ମା' ଦୁର୍ଗାଙ୍କର ଆଗମନ ପାଇଁ ସଜେଇ ହୋଇଛି ପ୍ରକୃତି ରାଣୀ । ସବୁଜ ବନାନୀ ଓ କାଶତଣ୍ଡୀ ଫୁଲରେ ହଲି ହଲି ମା'ଙ୍କୁ ସ୍ୱାଗତ ଜଣାଉଛି । ଶାରଦୀୟ ଦୁର୍ଗା ପୂଜା ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀରେ ସବୁଠି ଭରିଦେଇଛି କାଶତଣ୍ଡୀର ମହକ । କାଶ ତଣ୍ଡି ପ୍ରକୃତିର ଏକ ଅନବଦ୍ୟ ଉପହାର । ବର୍ଷା ଋତୁର ଶୁଭ ବିଦାୟ ପରେ ଅର୍ଥାତ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ । କାଶତଣ୍ଡୀ ଫୁଲ ଦର୍ଶକ ଚିତ୍ତରେ ସୃଷ୍ଟି କରେ ଅଦ୍ଭୁତ ପୁଲକ । ରାସ୍ତାକଡ଼ ହେଉ ଅବା ଗାଁ ଗହିରୀ ଚାଷ କ୍ଷେତର ହିଡ, ନଇପଠା ସବୁଠି କାଶତଣ୍ଡୀର ବିଜୟ ବୈଜୟନ୍ତୀ ।
ଋତୁ ଚକ୍ରର ପରିକ୍ରମାରେ ବଦଳିଥାଏ ପ୍ରକୃତିର ସୌନ୍ଦର୍ଯ୍ୟ । ସର୍ବଦା ସବୁଜ ରଙ୍ଗରେ ଚହଟୁଥିବା ଧରିତ୍ରୀ ଶରତ ଋତୁରେ ଧୋବ ଫର ଫର ଶାଢ଼ୀ ପିନ୍ଧି ସଜେଇ ହୁଏ । ସତେ ଯେପରି ମା' ଦଶଭୂଜାଙ୍କ ଧରାବତରଣକୁ ଆଗମନ କରୁଛି । ଖୋଲା ଆକାଶର ରାସ୍ତା କଡ଼ଠାରୁ ଆରମ୍ଭ କରି ନଦୀପଠା ଯାଏ ଧଳା ରଙ୍ଗର କାଶତଣ୍ଡି ଫୁଲର ପସରା ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ଧରଣୀର ଏହି ଅପୂର୍ବ ରୂପକୁ ଉପଭୋଗ କରିବା ପାଇଁ ରାସ୍ତାରେ ଯାଉଥିବା ବାଟୋଇ ଟିଏ ଘଡ଼ିଏ ଅଟକିଯାଏ । କବି ପ୍ରାଣରେ ଏହା ଭରିଦିଏ ନବ ଉନ୍ମାଦନା । ଏହାର ସୌନ୍ଦର୍ଯ୍ୟର ଆଭାରେ କ୍ଷଣକ ପାଇଁ ଦର୍ଶକ ଭୁଲିଯାଏ ସମସ୍ତ ପାର୍ଥିବ ଜାତନାକୁ । ମୃଦୁ ପବନର ଛୁଆଁରେ ଲହରେଇ ଲହରେଇ ନାଚିଯାଏ । ଆଉ ତାକୁ ଦେଖିବା ମାତ୍ରେ ମନରେ ଖେଳିଯାଏ ଅପାର ପୁଲକ । କବି ଟିଏ ପାଇଁ ଏ କୁଆଡେ ପ୍ରେରଣାର ଉତ୍ସ । ଏହାର ରୂପ ଲାବଣ୍ୟରେ ବିମୋହିତ କବି କାଶତଣ୍ଡୀର କମରରେ ଗଢି ତୋଳେ କବିତାର କୋଣାର୍କ ।