ରାୟଗଡା: କୋରୋନା କାଳରେ ମାନବିକତା ହଜି ଯାଉଥିବା ବେଳେ ଆକ୍ରାନ୍ତଙ୍କୁ ନିଜ ସଂପର୍କୀୟ ମଧ୍ୟ ସହଯୋଗର ହାତ ବଢ଼ାଉ ନାହାନ୍ତି। ଏପରି ସ୍ଥିତିରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଟିମ କୋରୋନା ଆକ୍ରାନ୍ତ ପ୍ରସୂତୀର ଅସ୍ତ୍ରୋପଚାର କରି ସୁରକ୍ଷିତ ଭାବେ ପୁତ୍ର ସନ୍ତାନ ଜନ୍ମ ଦେବା ଘଟଣା ଡାକ୍ତରଙ୍କ ମହାନତାକୁ ପ୍ରମାଣିତ କରିଛି।
ସୂଚନା ଅନୁଯାୟୀ ରାୟଗଡ଼ା ଇନ୍ଦିରା ନଗରର ଯୁଗାନ୍ତି ନାୟକ (୨୫) ଗତ କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ଯୁଗାନ୍ତି କୋରୋନା ପଜିଟିଭ୍ ହୋଇଥିବା ବେଳେ ପ୍ରସବ ତାରିଖ ପାଖେଇ ଆସୁଥିବାରୁ ସନ୍ତାନ ଜନ୍ମ ନେଇ ଚିନ୍ତାରେ ପଡ଼ିଥିଲେ। ତାଙ୍କ ସ୍ବାମୀ ଦେବାଶିଷ ଏ ନେଇ ଡାକ୍ତରୀ ଟିମ୍ ସହ ଯୋଗାଯୋଗ କରିବା ପରେ ରାୟଗଡ଼ା ମେଡ଼ିକାଲର ଏକ ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଭୋରରେ ପ୍ରସବ ବେଦନା ଅନୁଭବ କରିବା ପରେ ଡାକ୍ତରୀ ଟିମ୍ ସକାଳ ୬ଟାରେ ସ୍ବତନ୍ତ୍ର ଆଇସୋଲେସନ୍ ଅପରେସନ୍ କକ୍ଷରେ ଅସ୍ତ୍ରୋପଚାର କରିଥିଲେ।