ରାୟଗଡା: ଜିଲ୍ଲାରୁ ମଙ୍ଗଳବାର ପୁଣି ୧୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୪ ଦିନ ଭିତରେ ଦୈନିକ ଶହେରୁ ଊର୍ଦ୍ଧ୍ବ ପଜିଟିଭ୍ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଏଥିସହ ପଡୋଶୀ ରାଜ୍ୟ ତଥା ଜିଲ୍ଲାରୁ ଫେରୁଥିବା ବ୍ୟକ୍ତିଙ୍କ ଠାରେ ପଜିଟିଭ୍ ଚିହ୍ନଟ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ବିନା କାରଣରେ ରେଡ୍ ଜୋନ ଅଞ୍ଚଳକୁ ନ ଯିବା ପାଇଁ ପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି ।
ତେବେ ଟେଷ୍ଟିଂ ସଂଖ୍ୟା ବଢୁଥିବାରୁ ପଜିଟିଭ୍ ସଂଖ୍ୟା ବଢୁଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଏଥିସହ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବା ପାଇଁ ମଧ୍ୟ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ବର୍ତ୍ତମାନ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଣ୍ଟିଜେନ ଆଗ୍ରେସିଭ୍ କୋଭିଡ୍ ପରୀକ୍ଷା କରାଯାଉଛି । ଜିଲ୍ଲାର ୧୧ ଗୋଟି ବ୍ଲକ ସହ ୨ଟି ପୌରାଞ୍ଚଳରେ ପ୍ରଶାସନ ତରଫରୁ ଟିମ୍ ଗଠନ କରାଯାଇ କୋଭିଡ୍ ପରୀକ୍ଷାକୁ ଜୋରଦାର୍ କରାଯାଇଛି ।
ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୧୨୦ ଜଣଙ୍କ ମଧ୍ୟରୁ ୭୪ ଜଣ ପୁରୁଷ ଥିବା ବେଳେ ୪୬ ଜଣ ମହିଳା ଅଛନ୍ତି । ୯୮ ଜଣ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ୭୯ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି ।