ଓଡିଶା

odisha

ETV Bharat / state

କୋରୋନା ମୁକାବିଲା; ରାୟଗଡା ପ୍ରସ୍ତୁତ, ଚିନ୍ତା ବଢାଉଛି ଆମ୍ବୁଲାନ୍ସ

ମହାମାରୀ କୋରୋନାର ମୁକାବିଲା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିବାବେଳେ ଜିଲ୍ଲାର 6ଟି ସ୍ଥାନରେ 500 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲ କରିବାକୁ ଚାଲିଛି ଯୋଜନା । ହେଲେ ଏସବୁ ଭିତରେ ଚିନ୍ତା ବଢାଉଛି ଜିଲ୍ଲାର ଆମ୍ବୁଲାନ୍ସ ସେବା । ଅଧିକ ପଢନ୍ତୁ...

By

Published : Apr 9, 2020, 4:33 PM IST

Corona crisis
କୋରୋନା ମୁକାବିଲା; ରାୟଗଡା ପ୍ରସ୍ତୁତ, ଚିନ୍ତା ବଢାଉଛି ଆମ୍ବୁଲାନ୍ସ

ରାୟଗଡା: ମହାମାରୀ କୋରୋନାର ମୁକାବିଲା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତତ୍ପର। ଜିଲ୍ଲାର 6ଟି ସ୍ଥାନରେ 500 ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କରିବାକୁ ଚାଲିଛି ଯୋଜନା । ହେଲେ ଏସବୁ ଭିତରେ ଚିନ୍ତା ବଢାଉଛି ଜିଲ୍ଲାର ଆମ୍ବୁଲାନ୍ସ ସେବା । ବର୍ଷ ବର୍ଷ ଧରି କେଉଁଠି ରୋଗୀ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସୁଛି ତ ଆଉ କେଉଁଠି ଆମ୍ବୁଲାନ୍ସ ନଆସିବାରୁ ରାସ୍ତାରେ ଗର୍ଭବତୀ ପ୍ରସବ କରୁଥିବା ଦେଖିବାକୁ ମିଳୁଛି । ଏସବୁ ଦୃଶ୍ୟ ଏପର୍ଯ୍ୟନ୍ତ ବଦଳିନଥିବାବେଳେ କୋରୋନା ମୁକାବିଲାରେ ଆମ୍ବୁଲାନ୍ସର ଭୂମିକା କିପରି ରହିବ ତାକୁ ନେଇ ଚିନ୍ତା ବଢିଛି ।

କୋରୋନା ମୁକାବିଲା; ରାୟଗଡା ପ୍ରସ୍ତୁତ, ଚିନ୍ତା ବଢାଉଛି ଆମ୍ବୁଲାନ୍ସ

ଭୌଗଳିକ ଚିତ୍ର ଅନୁଯାୟୀ, 7073 ବର୍ଗ କିଲୋମିଟର ଅଞ୍ଚଳରେ ଗଢି ଉଠିଛି ରାୟଗଡା ଜିଲ୍ଲା । ଦୁଇଟି ସବଡିଭିଜନର 11ଟି ବ୍ଲକ, ଦୁଇଟି ମୁନିସିପାଲଟି ଏବଂ ଗୋଟିଏ ଏନଏସିକୁ ନେଇ ଏହି ଜିଲ୍ଲା ଗଠିତ । ପାଖାପାଖି 2667ଟି ଛୋଟବଡ ଗାଁ ଥିବା ଏହି ଜିଲ୍ଲାର 2011 ଜନଗଣନା ଅନୁସାରେ 9 ଲକ୍ଷ 68 ହଜାର ଜନସଂଖ୍ୟା ଥିବାବେଳେ ଏବେ 11 ଲକ୍ଷ ଟପିଥିବା କୁହାଯାଉଛି । ହେଲେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଜିଲ୍ଲାରେ ରହିଛି ମାତ୍ର 36ଟି ଆମ୍ବୁଲାନ୍ସ ।

ସେଥିମଧ୍ୟରୁ 15 ଟି 108 ଆମ୍ବୁଲାନ୍ସ, 12ଟି 102 ଆମ୍ବୁଲାନ୍ସ ଓ ସରକାରୀ ଭାବେ 9ଟି ଆମ୍ବୁଲାନ୍ସ ରହିଛି । ସୁବୁଠୁ ବଡ କଥା ହେଲା କୋଭିଡ୍‌ ମୁକାବିଲା ପାଇଁ ଭଡାସୂତ୍ରରେ ଜିଲ୍ଲା ପ୍ରଶାସନ ଆଣିଛନ୍ତି ମାତ୍ର ଦୁଇଟି ଆମ୍ବୁଲାନ୍ସ । ସେପଟେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଦିଓ ଜିଲ୍ଲା ହସ୍ପିଟାଲର 5 ତାଲା ବିଶିଷ୍ଟ ଅତ୍ୟାଧୁନିକ କୋଠା ରହିଛି ହେଲେ ଶଯ୍ୟା ସଂଖ୍ୟା 149ରେ ସୀମିତ ରହିଛି । ସେହିଭଳି ଜିଲ୍ଲାରେ ଗୋଟିଏ ଉପଖଣ୍ଡ, 38 ଟି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର , 11ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହିତ ଗୋଟିଏ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ରହିଛି ।

ତେବେ ଜିଲ୍ଲା ପ୍ରଶାସନ କୋରୋନା ପାଇଁ ପ୍ରସ୍ତୁତ ଥିବା କହୁଥିବାବେଳେ ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବାର ଏପରି ସ୍ଥିତି ଚିନ୍ତାଜନକ ବିଷୟ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details