ଓଡିଶା

odisha

ETV Bharat / state

ଉତ୍କଳ ଆଲୁମିନା କାରଖାନା ବିରୋଧରେ ଗର୍ଜିଲା କଂଗ୍ରେସ - କଂଗ୍ରେସ କମିଟି ପକ୍ଷରୁ ଛଅ ଦଫା ଦାବି

ଉତ୍କଳ ଆଲୁମିନା ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ସରକାରଙ୍କ ଆଗରେ ଛଅ ଦଫା ଦାବି ଉପସ୍ଥାପନ କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଉତ୍କଳ ଆଲୁମିନା ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଉତ୍କଳ ଆଲୁମିନା ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

By

Published : Feb 8, 2023, 11:39 AM IST

Updated : Feb 8, 2023, 12:44 PM IST

ଉତ୍କଳ ଆଲୁମିନା କାରଖାନା

ରାୟଗଡା: ଉତ୍କଳ ଆଲୁମିନା ଆଗରେ ଛଅ ଦଫା ଦାବି ନେଇ କଂଗ୍ରେସର ବିକ୍ଷୋଭ । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଛଅ ଦଫା ଦାବି ନେଇ କାଶୀପୁର ବ୍ଲକସ୍ଥିତ ଉତ୍କଳ ଆଲୁମିନାର ମେନ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କମ୍ପାନୀର ପ୍ରତିରୋଧ ଏବଂ ପୋଲିସ ପ୍ରଶାସନର କଟକଣା ସତ୍ତ୍ୱେ କମ୍ପାନୀ କ୍ଷତିଗ୍ରସ୍ତ, ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହିତ ବ୍ଲକର ବିଭିନ୍ନ ସ୍ଥାନରୁ ଦୁଇ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

ଏଥିରେ କଂଗ୍ରେସର ରାୟଗଡା ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ବିଧାୟକ ପ୍ରାର୍ଥୀ ଆପଲ ସ୍ୱାମୀ କାଡ୍ରାକା ପ୍ରମୁଖ ଯୋଗଦେଇ କଂସାରିଗୁଡ଼ା ଠାରେ ଆଲୁମିନା କାରଖାନା ପ୍ରତିଷ୍ଠା ନାଁରେ କମ୍ପାନୀ ଏବଂ ସରକାର ଲୋକଙ୍କ ଠାରୁ ଜମି ନେଇ ଭୂଆଁ ବୁଲାଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।

ଜମି ଅଧିଗ୍ରହଣର ଦୀର୍ଘ 17 ବର୍ଷ ପରେ ମଧ୍ୟ କମ୍ପାନୀ ଆଲୁମିନା ପ୍ରକଳ୍ପ ପ୍ରତିଷ୍ଠାର ନାଁ ନେଉନାହିଁ । ତୁରନ୍ତ ଆଲୁମିନା କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ନକଲେ ଜମି ହରାଙ୍କୁ ଚାରିଗୁଣା କ୍ଷତିପୂରଣ ଦେଇ ଜମି ଫେରନ୍ତ କରାଯାଉ ବୋଲି ଏହି ସମାବେଶରେ ଦାବି କରାଯାଇଛି । ସେହିପରି ଉତ୍କଳ ଆଲୁମିନା କାରଖାନାରେ ପ୍ରଭାବିତ ଡିମୁଣ୍ଡି ଏବଂ ଡ଼ି କରୋଳ ଉପରସାହି ବାସିନ୍ଦାଙ୍କୁ ଡ଼ିପି ମାନ୍ୟତା ପ୍ରଦାନ କରି ଥଇଥାନ ବ୍ୟବସ୍ଥା କରାଯିବା, କାରଖାନା ଏବଂ ଖଣି ପ୍ରଭାବିତ ଅଞ୍ଚଳର ଲୋକେ ଆତ୍ମନିଯୁକ୍ତି ପାଇଁ କାମ ମାଗିଲେ କମ୍ପାନୀ, ପୋଲିସ ଏବଂ ଗୁଣ୍ଡା ଲଗାଇ ଦମନ କରୁଛି ।

ପୋଲିସ ମିଛ କେସ କରି ନିରୀହ ଲୋକଙ୍କୁ ବାନ୍ଧି ନେଉଛି । ଅଣ୍ଡିରା କଞ୍ଚ ଗ୍ରାମର ଆସନ୍ନପ୍ରସବା ମହିଳାକୁ ହତ୍ୟା ଉଦ୍ୟମର ମିଛ କେସକରି ପୋଲିସ ଜେଲ ପଠାଇବା ଘଟଣାରେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିଲା । ଏହି ଅମାନୁଷିକ ଘଟଣାରେ ମୃତ ସୁଲବତୀଙ୍କ ପରିବାରକୁ ଏକ କୋଟି କ୍ଷତିପୂରଣ ଏବଂ ମହିଳାଙ୍କ ସ୍ୱାମୀକୁ କମ୍ପାନୀରେ ନିଯୁକ୍ତି ଏବଂ ଶିଶୁ ପୁତ୍ରର ଆବଶ୍ୟକ ଯତ୍ନ ନେବା ପାଇଁ ଦାବି କରାଯାଇଛି । କଂଗ୍ରେସର ପ୍ରତିବାଦ ସଭାକୁ ଦୃଷ୍ଟିରେ ରଖି ପ୍ଳାଣ୍ଟ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ତେବେ ପୂର୍ବରୁ କାଶୀପୁର ବ୍ଲକ ନୂଆପଡ଼ା ଗାଁର ବୃଦ୍ଧ ଦମ୍ପତି ଆଲୁମିନା କାରଖାନାର ନିର୍ମାଣ କାର୍ଯ୍ୟରେ ଜମି ହରେଇଥିବା ବେଳେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଜମିକୁ ଉତ୍କଳ ଆଲୁମିନା କାରଖାନା ଜବରଦଖଲ କରିଥିବା ନେଇ ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ନମିଳିବା ପରେ ବୃଦ୍ଧ ଦମ୍ପତି ଏହି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ରାୟଗଡା

Last Updated : Feb 8, 2023, 12:44 PM IST

ABOUT THE AUTHOR

...view details