ରାୟଗଡା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ଼ଃ ପୁରୁଷୋତ୍ତମ ଗମାଙ୍ଗଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଷଡଯନ୍ତ୍ର କରି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ କରିଛି କଂଗ୍ରେସ । ଯାହାର ପ୍ରତିବାଦ କରି ସୋମବାର ରାସ୍ତା ଅବରୋଧ କରିବା ସହ ସପ୍ତାହେ ମଧ୍ୟରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତକୁ ଖୋଜିବା ନେଇ ଦାବି କରିଛି କଂଗ୍ରେସ ।
ସୂଚନା ଅନୁଯାୟୀ ଗତ ଡିସେମ୍ବର 24 ତାରିଖ ରାତିରେ ଏକ ସଡକ ଦୁର୍ଘଟଣାରେ ଡ଼ଃ ଗମାଙ୍ଗଙ୍କ ମୃତ୍ୟୁ ହୋଇଥିବା ଖବର ସମଗ୍ର ଅଞ୍ଚଳ ବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ହେଲେ ଏହା ଦୁର୍ଘଟଣାଜନିତ ନୁହେଁ ବରଂ ହତ୍ୟାକାଣ୍ଡ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ଗୁଣୁପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହି ଅଭିଯୋଗ କରିଥିଲେ ।
ତେବେ ସପ୍ତାହେ ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଖୋଜୁ ନଚେତ ଏସଆଇଟି କିମ୍ବା ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ପରେ ଡ଼ଃ ଗମାଙ୍ଗଙ୍କ ଶାଳକ ଏନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଜାଣିଶୁଣି ପୋଲିସ ଏତଲା ଗ୍ରହଣ କରିବାରେ ବିଳମ୍ବ ଓ ତଦନ୍ତରେ ଶୀଥିଳତା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି । ତେଣେ ରାଜ୍ୟ ସରକାର ସବୁବେଳେ ଆଦିବାସୀ ବିରୋଧୀ ଓ ହତ୍ୟାକାରୀ ବୋଲି ବାହିନୀପତି ଆରୋପ କରିଛନ୍ତି ।