ରାୟଗଡା: ପୌରାଞ୍ଚଳର 24ଟି ୱାର୍ଡରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପୂର୍ବପରି ଲୋକେ ଆଉ ସମସ୍ୟା ଦେଇ ଗତି କରିବେ ନାହିଁ । କାରଣ ସହରର ବିଭିନ୍ନ ଅଞ୍ଚଳ ପାଇଁ 84ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ଅଧିନରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ପ୍ରାୟ 10 କୋଟି 53 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।
ରାୟଗଡା ସହରାଞ୍ଚଳରେ 10ଟି କ୍ଷୁଦ୍ର ଉଦ୍ୟାନ ପାଇଁ 1 କୋଟି 15 ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ 8ଟି ସର୍ବସାଧାରଣ ବ୍ୟାୟାମ ସ୍ଥଳ ପାଇଁ 80 ଲକ୍ଷ, 4ଟି ଶିଶୁକ୍ରୀଡା ଉଦ୍ୟାନ ପାଇଁ 30 ଲକ୍ଷ, 13ଟି ରାସ୍ତା ପାଇଁ 1 କୋଟି 50 ଲକ୍ଷ, 3ଟି ଖେଳ ପଡିଆ ପାଇଁ 36 ଲକ୍ଷ, 5ଟି ରାସ୍ତାକଡ ବିକ୍ରୟ ସ୍ଥଳୀ ପାଇଁ 55 ଲକ୍ଷ, 12ଟି ସ୍ଥାନରେ ରାସ୍ତା ଓ ଡ୍ରେନେଜ୍ ପାଇଁ 1 କୋଟି 93 ଲକ୍ଷ ଓ 29ଟି ଅନ୍ୟ ରାସ୍ତା ପାଇଁ 3 କୋଟି 94 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ପରେ ରାୟଗଡା ସହରବାସୀ ବିଶେଷ ଉପକୃତ ହୋଇପାରିବେ ବୋଲି ସାମ୍ବାଦିକ ସମ୍ମିଳୀରେ କହିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।