ଓଡିଶା

odisha

୧୮ ଆରମ୍ଭ ହେଉଛି ଚଇତି ପର୍ବ, ସୁରକ୍ଷା ଦାୟିତ୍ବରେ 9 ପ୍ଲାଟୁନ ଫୋର୍ସ

By

Published : Jan 16, 2023, 11:55 AM IST

ରାୟଗଡାରେ ପାଖେଇ ଆସୁଛି ଚଇତି ମେଳା । ୫ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ସାମ୍ବାଦିକ ମାନଙ୍କର ପୂର୍ଣ୍ଣ ସହଯୋଗ କାମନା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

Chaiti Festival held in rayagada
Chaiti Festival held in rayagada

Chaiti Festival held in rayagada

ରାୟଗଡା:ଆସନ୍ତା ୧୮ ତାରିଖରୁ ରାୟଗଡାରେ ଆରମ୍ଭ ହେବାକୁ ଯାଉଛି ଚଇତି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ସ୍ଥାନୀୟ ଜିସିଡି ପଡିଆରେ ୫ ଦିନ ଧରି ରାୟଗଡାବାସୀଙ୍କ ପାଇଁ ଏଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସ୍ଥାନୀୟ ଲୋକ କଳା, ସଂସ୍କୃତି ସହ ଓଲିଉଡ ଷ୍ଟାରଙ୍କର ଜଲବା ଦେଖିବାକୁ ପାଇବେ ଦର୍ଶକ । ଏହି ମହୋତ୍ସବ ପାଳନ ଓ ଏହାର ପ୍ରଚାର ପ୍ରସାର ଦିଗରେ ସାମ୍ବାଦିକ ମାନଙ୍କର ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି ରାୟଗଡା ଜିଲାପାଳ ସ୍ବେଧା ଦେବ ସିଂ ।

ଗତକାଲି(ରବିବାର) ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଥିଲେ ଯେ, ଆସନ୍ତା ୧୮, ୨୦ ଓ ୨୨ ତାରିଖରେ ବିଭିନ୍ନ ଜନପ୍ରତିନିଧିମାନେ ଚଇତି ମହୋତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି । ଚଇତି ମହୋତ୍ସବ ପାଇଁ ପୂର୍ବରୁ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର କୃତି ପ୍ରତିଯୋଗୀଙ୍କୁ ଶନିବାର ପୁରସ୍କୃତ କରାଯାଇଛି । ଆସନ୍ତା ୧୮ ତାରିଖରେ ମାଆ ମଝି ଘରିଆଣୀଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିସିଡି ପଡିଆରେ ପହଞ୍ଚିବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ ।''

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ଯେ,'' ଚଳିତ ବର୍ଷ ଚଇତି ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରରେ ଟ୍ରାଫିକ କଟକଣା, ସୁରକ୍ଷା ବ୍ୟବସ୍ଥା ସହ ପାର୍କିଂ ପାଇଁ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ନିଜେ ରାୟଗଡା ଏସପିଙ୍କ ସମେତ ଅତିରିକ୍ତ ଏସପି ଏହାର ତଦାରଖ କରୁଛନ୍ତି । ଏହାସହ ୮ ଜଣ ଡିଏସପି, ୧୩ ଜଣ ଇନିସପେକ୍ଟର, ୨୩ ଜଣ ସବଇନିସପେକ୍ଟର, ୪୫ ଜଣ ଏଏସଆଇ, ୨୭ ଜଣ ହାବିଲଦାର, ୪ ହୋମଗାର୍ଡଙ୍କ ସମେତ ୯ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବେ । ଏହାସହ ଏନସିସିର ୧୫୦ ଜଣ କ୍ୟାଡେଟ୍ ଏଥିରେ ନିୟୋଜନ କରାଯିବ ବୋଲି ଏସପି ସୂଚନା ଦେଇଥିଲେ । ଚଇତି ମହୋତ୍ସବ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଗାଡି ପାର୍କିଂର ବ୍ୟବସ୍ଥା ବି କରାଯାଇଛି ।''

''କୋରାପୁଟ ଓ ଜେକେପୁର ପଟରୁ ଆସୁଥିବା ତିନି ଚକିଆ ଗାଡି ସବୁ ରେଲୱେ ପାର୍କିଂ ସ୍ଥଳରେ ଗାଡି ପାର୍କ କରିବେ । ସେହିପରି ୪ ଚକିଆ ଗାଡି ସବୁ ସାଇ ମନ୍ଦିର ନିକଟସ୍ଥ ଅଭିନନ୍ଦନ କଲ୍ୟାଣ ମଣ୍ଡପ ନିକଟରେ ଗାଡି ପାର୍କିଂ କରିବେ । ସେଭଳି ଦୁଇ ଚକିଆ ଯାନ ସବୁ ଜିଲା ମେଡିକାଲ ପଛପଟେ ଥିବା ବିଭିନ୍ନ ସ୍ଥାନରେ ଗାଡି ପାର୍କିଂ କରିବେ । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଏସସିଡି ମାଧ୍ୟମରେ ଦର୍ଶକମାନଙ୍କୁ ସୂଚନା ଦିଆଯିବାର ବ୍ୟବସ୍ଥା ହୋଇଥିବା ଏସପି ସୂଚନା ଦେଇଥିଲେ । ରାୟଗଡା ଜିଲ୍ଲାବାସୀଙ୍କ ସମେତ ପଡୋଶୀ ଆନ୍ଧ୍ରପ୍ରଦେଶର ଦର୍ଶକମାନେ ମଧ୍ୟ ଏହାକୁ ଖୁସିରେ ଉପଭୋଗ କରିବାକୁ ପରାମର୍ଶ ଦେଇଥିଲେ ଏସପି । ''

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସୋମନାଥ ପ୍ରଧାନ, ଡିଆରଡିଏ ପିଡି ରବିନାରାୟଣ ତ୍ରିପାଠୀଙ୍କ ସମେତ ବହୁ ସରକାରୀ ଅଫିସର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details