ରାୟଗଡ଼ା: ରାୟଗଡା ସହରରେ ପୁରୁଣା ସିସିଟିଭି ଅଚଳ । ନୂଆ ପାଇଁ ପାଣ୍ଠି ଅଭାବ ମୁଖ୍ୟ ସମସ୍ୟା ପାଲଟିଛି । ଫଳରେ ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ କାର୍ଯ୍ୟକାରୀ ହୋଇପାରୁନି ସିସିଟିଭି ବ୍ୟବସ୍ଥା । ସହରବାସୀଙ୍କ ସୁରକ୍ଷା ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ରୋକିବାରେ ସିସିଟିଭିର ପ୍ରମୁଖ ଭୂମିକା ରହିଛି । ହେଲେ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ନୂଆ ଯୋଜନା ଫାଇଲ୍ ଭିତରୁ ମୁଣ୍ଡ ଟେକି ପାରୁନି।
ସହରର ୩ ପ୍ରବେଶ ପଥ ସମେତ ସମସ୍ତ ୱାର୍ଡକୁ ସିସିଟିଭି ନଜରରେ ରଖିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନୂଆ ଯୋଜନା ହୋଇଛି । ଏସପି ଡା. ଶର୍ବଣା ବିବେକ ଏମଙ୍କ ତତ୍ତ୍ବାବଧାନରେ ସର୍ଭେ ପ୍ରକ୍ରିୟା ଶେଷ ହୋଇଛି । ବ୍ରହ୍ମପୁରର ଏକ ବେସରକାରୀ ସଂସ୍ଥା, ଜନଗହଳିପୂର୍ଣ୍ଣ ସ୍ଥାନ, ଦୈନିକ ବଜାର, ରାଜପଥ, ବାଇପାସ୍ ରୋଡ୍ ଏବଂ ସମସ୍ତ ୱାର୍ଡକୁ ଦୁଇ ଭାଗରେ ବିଭକ୍ତ କରି ୩୧ଟି ସ୍ଥାନରେ ୧୧୫ଟି ସିସିଟିଭି ଲଗାଇବାକୁ ୪ କୋଟି ୯୭ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଇଛି । ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ଦୁଇଟି ପାୱାର କ୍ୟାମେରା ଲଗାଇବାକୁ ହୋଇଛି ଯୋଜନା । ସିରିଗୁଡାରୁ ଓଏମପି, ନୂଆସାହି, ଗଜପତି ଜଙ୍କସନ୍, ରେଲୱେ ଷ୍ଟେସନ, ବୁଦୁରାୱାଲାସା ସାଇ ଇଣ୍ଟର ନ୍ୟାସନାଲ୍ ହୋଟେଲ, ସାରଳା ଜଙ୍କସନ୍, ରଇତ କଲୋନି, ଏସବିଆଇ ମୁଖ୍ୟ ଶାଖା, ମଝିଘରିଆଣୀ ମନ୍ଦିର, ବଂଶୀକ୍ରିଷ୍ଣା କଲ୍ୟାଣ ମଣ୍ଡପ, ଜ୍ୟୋତି ମହଲ, ଉମା ଶଙ୍କର ଟକିଜ୍, ଗାନ୍ଧୀ ନଗର, ସିଆରପିଏଫ୍, କତୁରୁ ଅଞ୍ଚଳ ସିସିଟିଭି ନଜରରେ ରହିବ । କିନ୍ତୁ, ଏତେ ପରିମାଣର ଟଙ୍କା ପୋଲିସ ପାଖରେ ନଥିବାରୁ ପୌର ପରିଷଦ କିମ୍ବା ଅନ୍ୟ ବିଭାଗ ହାତରେ ଏହାର ଦାୟିତ୍ବ ନ୍ୟସ୍ତ କରିବାକୁ ପୋଲିସ ପ୍ରଶାସନ ଚିନ୍ତା କରୁଛି ।
ସିସିଟିଭି କାର୍ଯ୍ୟକାରୀ ହେଲେ ଅପରାଧିକ କାର୍ଯ୍ୟକଳାପ କମିବା ସହ ବେଆଇନ ପାର୍କିଂ, ଜବରଦଖଲ ଉପରେ ନଜର ରଖି ହେବ। ପାଣ୍ଠି ଅଭାବ କାରଣରୁ ନୂଆ ଯୋଜନା ଆଗକୁ ବଢ଼ି ପାରୁନି । ୨୦୧୪ ମସିହାରେ ରାୟଗଡ଼ା ସହରର ପ୍ରମୁଖ ସ୍ଥାନରେ ସିସିଟିଭି ଲଗାଇବା ପାଇଁ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା । ୨୦୧୭ ପର୍ଯ୍ୟନ୍ତ ପୌରପାଳିକା କିଛି ପଦକ୍ଷେପ ନନେବା ପରେ ୨୦୧୭ ମେ’ ମାସରେ ଆଇଟିଡିଏ ଟେଣ୍ଡର ଡାକି ମୁମ୍ବାଇର ଏକ ଘରୋଇ କମ୍ପାନୀକୁ ସର୍ଭେ ଦାୟିତ୍ବ ଦେଇଥିଲା । ସର୍ଭେ ପରେ ୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରସ୍ତାବ କମ୍ପାନୀ ଦେବା ପରେ ୩ଟି ପର୍ଯ୍ୟାୟରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା ।