ରାୟଗଡା: ପ୍ରାରମ୍ଭିକ ସ୍ତରରେ ୯,୩୦୦ ଗ୍ରେଡ ପେ ଓ ନବମ ଗ୍ରେଡ ପେ ୪,୨୦୦ ଦାବିରେ ରାୟଗଡ଼ା ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆନ୍ଦୋଳନ । ମଞ୍ଚର ରାୟଗଡ଼ା ଅଧ୍ୟକ୍ଷ ଅରୁଣ କୁମାର ପାଢୀ ଏବଂ ଆବାହକ ଚିତରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ସଦସ୍ୟ ଆଜି ଅମଲା ସଂଘ ଗୃହ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ । ଏହି ଶୋଭାଯାତ୍ରାରେ ରାୟଗଡା ଜିଲ୍ଲାର ବିଭିନ୍ନ ବିଭାଗରୁ ଜିଲ୍ଲାସ୍ତରୀୟ ଅମଲା ମାନେ ଯୋଗ ଦେଇଥିଲେ ।
ପ୍ରକାଶ ଥାଉ କି, ଦୀର୍ଘ ବର୍ଷ ହେଲା ଜିଲ୍ଲାସ୍ତରୀୟ ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ଉପରେ ଘୋର ଅସନ୍ତୋଷ ପ୍ରକାଶ କରାଯାଇଥିଲା । ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଯୋଗ୍ୟତା ରହିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ସମଭାବପନ୍ନ ଅମଲା ସଂଘ ପକ୍ଷରୁ ଦାବିପତ୍ର ଦିଆଯିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି । କିନ୍ତୁ ସମସ୍ତ ଆଲୋଚନାର ଫଳ ଶୂନ୍ୟ ହୋଇଅଛି । ଏହାର ପ୍ରତିବାଦରେ ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ସମସ୍ତ ପ୍ରତିନିଧିମାନେ ଆଉ ଆଲୋଚନା ନୁହେଁ, ଆନ୍ଦୋଳନତ୍ମକ କାର୍ଯ୍ୟକ୍ରମ ଜରିଆରେ ଦାବି ହାସଲ କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ ।