ରାୟଗଡ଼ା: ଶୁକ୍ରବାର ରାୟଗଡ଼ା ସହରରେ ହୋଇଥିବା କଲେଜ ଛାତ୍ର ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେମ ବ୍ୟାପାର କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି । ରାୟଗଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି ରଞ୍ଜନ ସେନାପତି ଓ ଆଇଆଇସି କେକେବିକେ କହଁର । ହତ୍ୟା ଘଟଣାରେ ଜଡ଼ିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ତେବେ ଏହି ହତ୍ୟାକାଣ୍ଡରେ ଗିରଫ ଯୁବକମାନେ ହେଲେ ରାୟଗଡ଼ା ବ୍ଲକ ଖିଲମିସଗୁଡ଼ା ଗ୍ରାମର ଦୀପନ କୁମାର ହିମିରିକା(୨୬), ଆୟରା ଓରଫ ମୁରଲି କଣ୍ଡାଗରି (୨୪) ଓ ରାଜୁ ଓରଫ୍ ହେମନ୍ତ ଜିଲାକାରା(୨୪) । ସେମାନଙ୍କ ଠାରୁ ଗୋଟିଏ ରକ୍ତ ଲଗା ଛୁରୀ, ଗୋଟିଏ ମୋବାଇଲ ଏବଂ ସ୍କୁଟି ଜବତ କରିଛି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୋଲିସ । ଦୀପନଙ୍କ ଭଉଣୀ ଓ ପ୍ରମୋଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଉଭୟ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିବା କାରଣରୁ ପ୍ରେମ ସମ୍ପର୍କକୁ ଦୀପନଙ୍କ ପରିବାର ବିରୋଧ କରୁଥିଲେ । ପରିବାରର ଶତ୍ରୁକୁ ଭଉଣୀ ଭଲ ପାଉଥିବାରୁ ଏହା ଦୀପନଙ୍କ ମନକୁ ଆଘାତ ଦେଇଥିଲା । ଏହାପରେ ପ୍ରମୋଦଙ୍କୁ ହତ୍ୟା କରାଯାଇଥିଲା। ଏହି କାରଣରୁ ହିଁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରେସ ବିବୃତିରେ ଉଲ୍ଲେଖ କରିଛି ।
ପ୍ରକାଶ ଥାଉକି, ଶୁକ୍ରବାର ସକାଳ ପ୍ରାୟ ୧୦ ଟା ସମୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଝିଅକୁ ସ୍କୁଲରୁ ନେଇ ଫେରୁଥିଲେ ତାଙ୍କ ଭଣଜା ମୃତ ପ୍ରମୋଦ କୁମାର କିଲାକା । ଫେରିବା ବାଟରେ ପ୍ରମୋଦ ଭଲପାଉଥିବା ଯୁବତୀଙ୍କ ଭାଇ ଦୀପନ ହିମିରିକା ଓ ତାଙ୍କ ଦୁଇ ସହଯୋଗୀ ମୃତ ପ୍ରମୋଦଙ୍କୁ ଗୌତମ ନଗର ଠାରେ ଅଟକାଇ କଥାବାର୍ତ୍ତା ହୋଇଥିଲେ । ଏହି ବାର୍ତ୍ତାଳାପ ପରବର୍ତି ସମୟରେ ଯୁକ୍ତିତର୍କରେ ପରିଣତ ହୋଇଥିଲା । ଏହାପରେ ଦୀପନ ଓ ତାଙ୍କ ଦୁଇ ସହଯୋଗୀ ପ୍ରମୋଦଙ୍କ ଉପରେ ଆକ୍ରମଣ କରି ଛୁରୀ ଭୁସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା ।