ଓଡିଶା

odisha

ETV Bharat / state

ରାୟଗଡ଼ାର ପାହାଡି ସୀତାଫଳ: ମିଳୁନି ଉଚିତ୍ ପାରିଶ୍ରମିକ, ହତାଶ ନିରୀହ ଆଦିବାସୀ

ଶୀତ ଆରମ୍ଭରୁ ଏବେ ରାୟଗଡାରେ ପଡିଛି ସୀତାଫଳର ସମ୍ଭାର । ଝୁଡି ଝୁଡି ସୀତାଫଳ ଧରି ରେଳଷ୍ଟେସନ ଓ ରାସ୍ତାଘାଟରେ ବସୁଛନ୍ତି ଆଦିବାସୀ ବେପାରୀ । ହେଲେ ବେପାର ନ ହେବାରୁ ଏବେ ଶାଗମାଛ ମୂଲ୍ୟରେ ସେମାନଙ୍କ ଠାରୁ ଫଳ କିଣି ନେଉଛନ୍ତି ଦଲାଲ। ଯାହାକୁ ଅନ୍ୟ ରାଜ୍ୟରେ ବିକ୍ରି କରି ମୁନାଫା କମାଉଥିବାବେଳେ ଏପଟେ କ୍ଷତି ସହି ହତାଶ ହେଉଛନ୍ତି ଆଦିବାସୀ । ଅଧିକ ପଢନ୍ତୁ...

ଦଲାଲ ଦୃଷ୍ଟିରେ ସୀତାଫଳ, ୧୫୦ ଟଙ୍କାରେ ଝୁଡିଏ ବିକି ହତାଶ ଆଦିବାସୀ
ଦଲାଲ ଦୃଷ୍ଟିରେ ସୀତାଫଳ, ୧୫୦ ଟଙ୍କାରେ ଝୁଡିଏ ବିକି ହତାଶ ଆଦିବାସୀ

By

Published : Oct 21, 2021, 3:26 PM IST

ରାୟଗଡା: ଆଦିବାସୀ ବହୁଳ ଜିଲ୍ଲା ରାୟଗଡା । ଏଠାକାର ଆଦିବାସୀ ଜନଜାତିଙ୍କ ଜୀବନ ଜୀବିକା ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ । ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟଗୁଡିକ ସଂଗ୍ରହ କରି ବିଭିନ୍ନ ସାପ୍ତାହିକ ହାଟ, ଦୈନିକ ବଜାରରେ ବିକ୍ରିବଟା କରି ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି । ବହୁ ପରିଶ୍ରମ କରି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଚଳୁଥିବା ଆଦିବାସୀ ଏବେ ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଦେଖାଯାଉଛି ।

ଦଲାଲ ଦୃଷ୍ଟିରେ ସୀତାଫଳ, ୧୫୦ ଟଙ୍କାରେ ଝୁଡିଏ ବିକି ହତାଶ ଆଦିବାସୀ

ବର୍ଷାର ଶେଷ ଓ ଶୀତ ଋତୁ ଆରମ୍ଭରୁ ଏବେ ରାୟଗଡାରେ ପସରା ମେଲାଇଛି ପାହାଡି ସୀତାଫଳ । ସକାଳୁ ସକାଳୁ ମୁଣ୍ଡରେ ଝୁଡି ଝୁଡି ସୀତାଫଳ ବୋହି ବାହାରି ପଡୁଛନ୍ତି ଆଦିବାସୀ ପୁରୁଷ ଓ ମହିଳା । ବିଶେଷକରି ରାୟଗଡ଼ା ସଦର ବ୍ଳକ ପିପଲଗୁଡା ପଞ୍ଚାୟତ, କାରୁବାଇ ପଞ୍ଚାୟତ ଏବଂ ପିତାମହଲ ପଞ୍ଚାୟତର ଶତାଧିକ ଗ୍ରାମବାସୀ ପ୍ରତିଦିନ ଭୋରରୁ ନିଜ ସଂଗୃହୀତ ସୀତାଫଳ ବିକ୍ରି କରିବା ପାଇଁ ରାୟଗଡା ସହରକୁ ଆସୁଛନ୍ତି । ସହରର ବସଷ୍ଟାଣ୍ଡଠୁ ଆରମ୍ଭ କରି ରାସ୍ତାର ଉଭୟ ପାର୍ଶ୍ବରେ ଟୋକେଇ ଭର୍ତ୍ତି ଏହି ସୁଆଦିଆ ଫଳ ଧରି ବିକ୍ରି ପାଇଁ ବସି ରହୁଛନ୍ତି । ହେଲେ ସକାଳୁ ସନ୍ଧ୍ୟା ହେଉଥିବାବେଳେ ବେପାର ପୁରା ମାନ୍ଦା ହେଉଛି । ଆଗଭଳି ଲୋକଙ୍କ ଭିଡ ଜମୁନି ସୀତାଫଳ କିଣିବା ପାଇଁ । ନିଜର ଫଳ ବିକ୍ରୟ ପାଇଁ ଅଖିଆ ଅପିଆ ଗ୍ରାହକଙ୍କ ବାଟକୁ ଅନାଇ ବସୁଥିବା ଆଦିବାସୀ ଶେଷରେ ଉପାୟ ନ ପାଇ ଶାଗମାଛ ମୂଲ୍ୟରେ ଦଲାଲଙ୍କ ହାତକୁ ଟେକି ଦେଉଛନ୍ତି ଫଳ ଝୁଡି ।

ପଡୋଶୀ ଆନ୍ଧ୍ର ଓ ଛତିଶଗଡରେ ଏହି ପାହାଡି ସୀତାଫଳର ଚାହିଦା ଥିବାରୁ ଦଲାଲମାନେ ନିରୀହ ଆଦିବାସୀଙ୍କଠୁ କମ୍ ମୂଲ୍ୟରେ କିଣି ନେଉଛନ୍ତି । ନିଜେ ଫଳକୁ ବିକ୍ରି କରି ମୋଟା ଅଙ୍କର ମୁନାଫା କମାଉଛନ୍ତି । ସେମାନେ ଏହି ଫଳ ବିକ୍ରି କରି ପେଟ ପୋଷୁଥିବା ବେଳେ ଆବଶ୍ୟକୀୟ ବଜାର ଅଭାବରୁ ଦଲାଲକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ବର୍ତ୍ତମାନ ଏହି ସୀତାଫଳର ଗୋଟିଏ ଝୁଡି ୧୦୦ ଟଙ୍କାରୁ ୧୫୦ଟଙ୍କା ମଧ୍ୟରେ ରହୁଥିବାବେଳେ ଗୋଟିଏ ଝୁଡିରେ ୭୦ରୁ ୧୦୦ ଟି ଲେଖାଁଏ ସୀତାଫଳ ରହୁଛି । ଏହି ଫଳର ଆକାର ଅନୁସାରେ ଝୁଡିରେ ରଖାଯାଇ ଏହାକୁ ବିକ୍ରି କରାଯାଉଛି । ବଡ ବଡ ଆକାରର ସୀତାଫଳର ମୂଲ୍ୟ କିଛି ଅଧିକା ଥିବାବେଳେ ଛୋଟ ଆକାରର ସୀତାଫଳର ମୂଲ୍ୟ ଟିକେ କମ୍ ରହୁଛି । ରାୟଗଡ଼ା ବ୍ଳକର ପିପଲଗୁଡା ଓ କାରୁବାଇ ପଞ୍ଚାୟତରୁ ବିକ୍ରି କରିବା ପାଇଁ ଆସୁଥିବା ଏହି ଆଦିବାସୀ ବେପାରୀମାନେ ବସରେ ଶହ ଶହ ସୀତାଫଳ ଝୁଡି ଆଣି ସହର ଆସୁଛନ୍ତି । ଏଥିପାଇଁ ଜଣଙ୍କୁ ପିଛା ବସଭଡା ୩୦ଟଙ୍କା ଦେବାକୁ ପଡୁଥିବା ବେଳ ସୀତାଫଳ ଝୁଡି ପିଛା ଅଧିକା ୧୦ଟଙ୍କା ଦେବାକୁ ପଡିଥାଏ । ଭଡା ଦେଇ ଆସୁଥିଲେ ମଧ୍ୟ ଭଲ ବିକ୍ରିବଟା ହେଉନଥିବାରୁ ହତାଶ ହୋଇଛନ୍ତି ଏହି ଗରିବ ବେପାରୀ ।

ଗୋଟିଏ ପଟେ ଏହି ଆଦିବାସୀ ବେପାରୀ ଦଲାଲଙ୍କ ଶୋଷଣର ଶିକାର ହେଉଥିବାବେଳେ, କିନ୍ତୁ ଏହାପ୍ରତି ନିଘା ନାହିଁ ପ୍ରଶାସନର । ଆଦିବାସୀଙ୍କ ଦ୍ବାରା ସଂଗ୍ରହୃତ ସୀତାଫଳର ବିକ୍ରି ପାଇଁ ନାଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉଛି ନା ଓରମାସ । ଫଳରେ ଏଇଥିରୁ ଦାନା ଯୋଗାଡ କରୁଥିବା ଆଦିବାସୀଙ୍କ ପାଇଁ ଏବେ ମୁସ୍କିଲ ହେଉଛି ପେଟ ପୋଷିବା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details