ରାୟଗଡା: ଝଡ଼ ପରର ନିରବତା ଭଳି ଶୂନସାନ ହୋଇଯାଇଛି ଗାଁ ଠାରୁ ସହର । ଆଉ ଶୁଭୁନାହିଁ ଡ଼ାକବାଜି ଯନ୍ତ୍ରର କାନଫଟା ରାବ ଏବଂ ନେତା ମନ୍ତ୍ରୀଙ୍କ ଭିଡ଼ । ଏବେ ଛକ ବଜାର ଠାରୁ ଆରମ୍ଭ କରି ନେତାଙ୍କ ଚାମ୍ବର ପର୍ଯ୍ୟନ୍ତ ସବୁଠି ଆରମ୍ଭ ହୋଇଛି ଭୋଟ ଚର୍ଚ୍ଚା । କିଏ କାହାକୁ ଦେଲା ଭୋଟ ତାକୁ ନେଇ ଆରମ୍ଭ ହୋଇଯାଇଛି ହରଣ ,ଗୁଣନ, ମିଶାଣ ଫେଡ଼ାଣର ଗଣିତ ।
ସବୁ ଦଳ ନିଜ କଷିଥିବା ଗଣିତରେ ଅନ୍ୟ ଦଳ ଅପେକ୍ଷା ଆଗରେ ଥିବା ନେଇ ଦମ୍ଭୋକ୍ତି ଦେଖାଉଛନ୍ତି । ମାତ୍ର ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ କାହାକୁ ମିଳିବ ସେ ନେଇ କେହି ନିଶ୍ଚିତ ହୋଇ ପାରୁନାହାନ୍ତି । ଆଶା ଆଶଙ୍କା ମଧ୍ୟରେ ସବୁ ଦଳର ଆଶାୟୀ ପ୍ରାର୍ଥୀ । ଆମେ କହୁଛୁ ରାୟଗଡା ବିଧାନସଭା ନିର୍ବାଚନମଣ୍ଡଳୀର କଥା ।
କାଶିପୁର ଓ ରାୟଗଡ଼ା ବ୍ଲକ ଏବଂ ରାୟଗଡ଼ା ମୁନିସିପାଲଟିକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । ଚଳିତ ଥରର ମୋଟ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ହେଉଛି ୨୩୭୨୦୭ । ତେବେ ୧୭୯୦୪୨ ଭୋଟର ସେମାନଙ୍କର ମତାମତ ସାବ୍ୟସ୍ତ କରିଛନ୍ତି । ଏଥର ୭୫.୨୯ ପ୍ରତିଶତ ମତଦାନ ହୋଇଛି । କାଶିପୁର ବ୍ଲକର ମୋଟ ଭୋଟର ୯୭୪୦୩ ଭେଟରଙ୍କ ମଧ୍ୟରୁ ୭୯୨୬୧ଜଣ ଭୋଟଦାନ କରିଛନ୍ତି ଏବଂ ୮୧.୩୭ ପ୍ରତିଶତ ମତଦାନ ହୋଇଛି । ସେହିଭଳି ରାୟଗଡ଼ା ବ୍ଲକରେ ୮୬୨୭୯ ଭୋଟରଙ୍କ ମଧ୍ୟରୁ ୬୭୬୫୧ ଜଣ ମତଦାନ କରିଛନ୍ତି। ମତୀନର ହାର ୭୮.୪୧ ରହିଛି । ରାୟଗଡ଼ା ମୁନିସିପାଲଟିରେ ୫୩୫୨୫ ଭୋଟରଙ୍କ ମଧ୍ୟରୁ ୩୨୧୩୦ ମତଦାନ କରିଛନ୍ତି । ଏଠାରେ ୬୦.୦୩ ପ୍ରତିଶତ ଭୋଟିଂ ହୋଇଛି।
ପୂର୍ବରୁ ହୋଇଥିବା ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନର ପରିବେଶ ଭିନ୍ନ ଥିଲା। ଏଠି ଅନ୍ୟ ନିର୍ବାଚନମଣ୍ଡଳୀ ଅପେକ୍ଷା ଷ୍ଟାରପ୍ରଚାରଙ୍କ ଭିଡ଼ ଜମାରୁ ନଥିଲା। ବିଜେଡ଼ି ପାଇଁ ଦଳର ସୁପ୍ରିମୋ ଦିନଟିଏ ପାଇଁ ପ୍ରଚାର କରିଥିବା ବେଳେ ବିଜେପି ପାଇଁ ଧର୍ମେନ୍ଦ୍ର ମଧ୍ୟ ଥର ଟିଏ ପ୍ରଚାରକୁ ଆସିଥିଲେ। କଂଗ୍ରେସର କୌଣସି ହେଭିୱେଟ ନେତାଙ୍କୁ ଏଥର ପ୍ରଚାର ବେଳେ ଦେଖିବାକୁ ମିଳିନଥିଲା।
ଚଳିତ ନିର୍ବାଚନରେ ଏଠାକାର ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରି ହିମିରିକା, କଂଗ୍ରେସର ଆପଲସ୍ୱାମୀ କାଡ୍ରାକା, ବିଜେପିର ବସନ୍ତ ଉଲାକା, ବିଏସପିର ପୂର୍ଣ୍ଣାବତୀ ମାଝି ଏବଂ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ମକରନ୍ଦ ମୁଦୁଲି।