ରାୟଗଡା: ଧର୍ମପୀଠ, ମଣ୍ଡପ, ପାର୍କ ଖୋଲିବାକୁ ଦାବି କଲା ଯୁବ ବିଜେଡି । କୋରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏସବୁ ଖୋଲିବାକୁ ଦାବି କରିଛନ୍ତି । ଠାକୁର ଦର୍ଶନରୁ ଲୋକେ ବଞ୍ଚିତ ହେବା ସହ ଆମୋଦ ପ୍ରମୋଦ ଓ ବିବାହ ବ୍ରତ ସମୟରେ ଭୋଜି କାର୍ଯ୍ୟରେ ଲୋକେ ନାହିଁ ନଥିବା ହଇରାଣର ସାମ୍ନା କରୁଛନ୍ତି । ଫଳରେ ଏସବୁ ଖୋଲିବାକୁ ଖୋଦ୍ ବିଜେଡିର ଯୁବ କର୍ମୀମାନେ ଆଜି ରାୟଗଡା ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ।
ଜିଲ୍ଲାର ପ୍ରମୁଖ ମନ୍ଦିର ମା’ ମଝିଘରିଆଣୀଙ୍କ ମନ୍ଦିର ମାର୍ଚ୍ଚ ୨୫ ତାରିଖରୁ ବନ୍ଦ ରହିଛି । ପାର୍କ, କଲ୍ୟାଣ ମଣ୍ଡପ ବି ଖୋଲା ଯାଉନି । ସେପଟେ, ରାଜ୍ୟ ସରକାର ପୁରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସବୁଜ ସଙ୍କେତ ଦେଇସାରିଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଉପରେ ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବା ନେଇ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର।