ରାୟଗଡ଼ା:ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ଡାଇରିଆ । ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଆକ୍ରାନ୍ତ ହୋଇଥିବାବେଳେ, ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ଗତକାଲି ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୩ ଦିନ ମଧ୍ୟରେ ସ୍ଥିତି ବିଗିଡିଛି । ଦୂଷିତ ପାଣି ପାଇଁ ଏଭଳି ଘଟୁଥିବା ଲୋକେ କହିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ଵତନ୍ତ୍ର ମେଡିକାଲ ଟିମ୍ ଆଜି ଆସୁଛନ୍ତି ।
କାଶୀପୁର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଆକ୍ରାନ୍ତ ହୋଇ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି । ଏତଦ ବ୍ୟତୀତ ୭୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସଙ୍କଟାପନ୍ନ ଅବସ୍ଥାରେ ଥିବା ୫ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ଗତ ୮ ଦିନ ଧରି ସମସ୍ତେ ଆକ୍ରାନ୍ତ ହୋଇଥିଲେ । ଆଉ ଏହାପରେ ମୃତ୍ୟୁ ଘଟିଛି ଓ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି । ଏତଦବ୍ୟତୀତ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ନୂଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଗୁରୁତର ମାନଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି ।
ଏହା ବି ପଢନ୍ତୁ- କାଶୀପୁରରେ ଝାଡାବାନ୍ତି ଆତଙ୍କ, କଲେରା ନେଇ ବଢିଲା ସନ୍ଦେହ
କାଶୀପୁର ବ୍ଲକର ୪ଟି ମେଡିକାଲରେ ୬୦ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର ହୋଇଥିବା ରୋଗୀ ଅବସ୍ଥାରେ ଉନ୍ନତି ଘଟୁନାହିଁ । ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏଣେ ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦାଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ ଦୂଷିତ ପାଣିକୁ ଦାୟୀ କରିଛନ୍ତି ।