ରାୟଗଡା:ରାଜ୍ୟରେ ଜାରୀ ରହିଛି ଲଘୁଚାପଜନିତ ଲଗାଣ ବର୍ଷା । ଫଳରେ ମଙ୍ଗଳବାର ଠାରୁ ରାୟଗଡା ଓ କଳାହାଣ୍ଡି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ଆଲର୍ଟ ଜାରି । ଏହାସହ ଦୁଇ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ମଙ୍ଗଳବାର ଗୁଣୁପୁରରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ 84 ମିଟର, ସତର୍କ ସଂକେତ 83 ମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଂଶଧାରା ଜଳସ୍ତର 83.57 ମିଟର ନିକଟରେ ରହିଛି । ଗତ କାଲିଠାରୁ ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର, ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି । ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ତେବେ ମଙ୍ଗଳବାର ସକାଳୁ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ମୁନିଗୁଡାରେ ସର୍ବାଧିକ 101.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୁଣୁପୁରରେ 55.08 ମିଲି ମିଟର,ମୋହନାରେ 93.6 ମିଲି ମିଟର, ଗୁଡାରିରେ 73.8 ମିଲି ମିଟର ଏବଂ ଚନ୍ଦ୍ରପୁରରେ 45.0 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେପଟେ ରାୟଗଡା ଜିଲ୍ଲା ସୀମାନ୍ତ ଗଜପତି ଜିଲ୍ଲାର ହରଭାଙ୍ଗୀ ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ପ୍ରେସ ବିବୃତ୍ତି ମାଧ୍ୟମରେ ହରଭାଙ୍ଗୀ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ସମସ୍ତ ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛନ୍ତି ।