ରାୟଗଡା:କାଶୀପୁରରେ କମୁନି ହଇଜା ପ୍ରକୋପ । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ହଇଜା । ଆଜି(ବୁଧବାର) ହଇଜା ଆଉ ଦୁଇଜଣଙ୍କ ଜୀବନ ନେଇଛି । ଏହାସହିତ ହଇଜା ଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି । ମୃତକ ହେଲେ ଟିକିରି ଗ୍ରାମ ଜାମୁଗୁଡା ସାହିର ସୁନି ମାଝୀ (୫୬) ଓ ପାନବନ୍ଧ ଗ୍ରାମର ବିଟା ମାଝୀ (୨୭) । ଗତ କିଛିଦିନ ଧରି ଏମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଡାକ୍ତରଖାନାକୁ ନ ଯାଇ ଘରେ ହିଁ ଚିକିତ୍ସିତ ହେଉଥିଲେ । ବୁଧବାର ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ଅନ୍ୟପଟେ ଆଜି ହଇଜାରେ ମୃତ୍ୟୁ ହୋଇଥିବା ଘଟଣାକୁ ପ୍ରଶାସନ ପକ୍ଷରୁ ସ୍ଵିକାର କରାଯାଇଛି । ଜିଲ୍ଲାପାଳ ସ୍ବଧା ଦେବ ସିଂ କହିଛନ୍ତି ଯେ, "ପୂର୍ବ ଅପେକ୍ଷା ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା କମୁଛି । ମୃତ ସୁନି ମାଝୀ ଆଜି ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ମେଡିକାଲ ସ୍ଥାନାନ୍ତରିତ ସମୟରେ ମୃତ୍ୟୁ ଘଟିଲା। ବର୍ତ୍ତମାନ ୨୯୭ ଗାଁରେ ସର୍ଭେଲେନ୍ସ କରାଯାଉଛି । ହସ୍ପିଟାଲ ନେବାରେ ଟିକେ ବିଳମ୍ବ ହେଲେ ରୋଗୀଙ୍କ ମୃତ୍ୟୁ ହେଇଯାଉଛି ।"
ସୂଚନାଅନୁସାରେ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ରହିଛି । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୨୦ ଗ୍ରାମକୁ ହଇଜା କବଳିତ କରିଛି । ଏବେ ଯାଏଁ ୩୧୪ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଛି । ବ୍ଲକର ୨୯୭ ଗାଁରେ ସର୍ଭେଲେନ୍ସ ବୃଦ୍ଧି କରାଯାଇଛି । ୨୬୪ ଗାଁକୁ ବିଶୋଧନ କରାଯାଇଛି ।