ଓଡିଶା

odisha

ETV Bharat / state

ଆନ୍ଧ୍ର-ଓଡିଶା ସୀମାରେ ଯାଞ୍ଚ କଡାକଡି - ସୀମାରେ କୋରୋନା ପାଇଁ ଯାଞ୍ଚ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ଉପରେ ରାଜ୍ୟ ସରକାରଙ୍କ କଡା ନଜର । ଆନ୍ଧ୍ର-ଓଡିଶା ସୀମାରେ ଯାଞ୍ଚ କଡାକଡି । ଅଧିକ ପଢନ୍ତୁ....

ଆନ୍ଧ୍ର-ଓଡିଶା ସୀମାପଥରେ ଯାଞ୍ଚ କଡାକଡି
ଆନ୍ଧ୍ର-ଓଡିଶା ସୀମାପଥରେ ଯାଞ୍ଚ କଡାକଡି

By

Published : Apr 11, 2021, 10:34 PM IST

ରାୟଗଡା: ଆନ୍ଧ୍ର-ଓଡ଼ିଶା ସୀମାରେ ହେବ ଯାଞ୍ଚ କଡାକଡ଼ି । ୨୪ ଘଣ୍ଟିଆ ଡ୍ୟୁଟିରେ ରହିବେ ପରିବହନ, ସ୍ବାସ୍ଥ୍ୟ, ପୋଲିସ୍ ବିଭାଗ କର୍ମଚାରୀ । କୋରୋନା ସଂକ୍ରମଣ ବୃଦ୍ଧି ପରେ ପଡ଼ୋଶୀ ରାଜ୍ୟରୁ ଘରମୁହାଁ ହେଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖିବାକୁ ତତ୍ପର ହୋଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ଆଜି(ରବିବାର) ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାରେ ସ୍ଥିତି ଯାଞ୍ଚ କରିବା ପରେ ଆସନ୍ତାକାଲି(ସୋମବାର) ଠୁ ଯାଞ୍ଚ କଡାକଡ଼ି କରିବାକୁ ଜିଲ୍ଲାପାଳ ସ‌ରୋଜ କୁମାର ମିଶ୍ର ନିର୍ଦେଶ ଦେଇଛନ୍ତି ।

ଆନ୍ଧ୍ର-ଓଡିଶା ସୀମାପଥରେ ଯାଞ୍ଚ କଡାକଡି

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାୟଗଡ଼ା ଉପଖଣ୍ଡର କେରେଡ଼ା, ଗୁଣପୁର ଉପଖଣ୍ଡର ବେସନାଗୁଡ଼ା, କାଟିକିରେ ପରିବହନ-ସ୍ବାସ୍ଥ୍ୟ-ପୋଲିସ୍ ବିଭାଗ କର୍ମଚାରୀ ମିଳିତ ଭାବେ ସୀମାନ୍ତରେ ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ହୋଇଛି । ଆସନ୍ତାକାଲି ଠୁ ଆନ୍ଧ୍ର ସୀମା ସିଲକରି ଚେକ ପଏଣ୍ଟ କାର୍ଯ୍ୟକାରୀ କରାଯିବ । ଚେକ୍ ପଏଣ୍ଟରେ ଓଡ଼ିଶାକୁ ପ୍ରବେଶ କରୁଥିବା ସମସ୍ତ ଯାନବାହନ ଓ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଟିକନିଖ୍ ତଥ୍ୟ ରଖିବ ଜିଲ୍ଲା ପ୍ରଶାସନ । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ସହ ଟିକାକରଣ କାଗଜପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

ନ‌ଚେତ୍ ୭ ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଘରେ ସଙ୍ଗରୋଧରେ ରହିବାର ସୁବିଧା ନ ଥିଲେ ସରକାରଙ୍କ ଦ୍ବାରା ପରିଚାଳିତ ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ରଖିବାକୁ ନିଷ୍ପତ୍ତି ହୋଇଛି । କେରେଡ଼ାରେ ଏକ ଅସ୍ଥାୟୀ କେନ୍ଦ୍ର ଖୋଲିବାକୁ ପ୍ରଶାସନର ନିଷ୍ପତ୍ତି ପରେ ତୁରନ୍ତ ନିର୍ମାଣ କାମ ଶେଷ କରିବାକୁ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି । ଏଥି ସହିତ ରାୟଗଡ଼ା ରେଳ ଷ୍ଟେସନରେ ମଧ୍ୟ ପରିବହନ-ସ୍ବାସ୍ଥ୍ୟ-ପୋଲିସ୍ ବିଭାଗର ଏକ ଟିମ୍ ଯାଞ୍ଚ ପାଇଁ ରହିବେ । ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ ପରେ ହିଁ ଘରକୁ ଛଡ଼ାଯିବ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ତାଡ଼ମା, ଗୁଣପୁର, ବିଷମକଟକ କୋଭିଡ଼୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଯିବ । ଏହି ୩ କେନ୍ଦ୍ରରେ ଶର୍ଯ୍ୟା ସାଙ୍ଗକୁ ଅନ୍ୟ ସମସ୍ତ ସୁବିଧା ଯୁଦ୍ଧକାଳୀନ ଭିତ୍ତିରେ ଉପଲବ୍ଧ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୧୩୬ ଆକ୍ଟିଭ୍ କେସ୍ ଥିବାବେଳେ ଜେକେପୁର ସ୍ଥିତ ଜିଲ୍ଲା କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୧୨୩ ଜଣ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details