ରାୟଗଡ଼ା:ଦିନକୁ ଦିନ ସୀମା ଲଘିଂବାରେ ଲାଗିଛି ଆନ୍ଧ୍ର । ଓଡିଶା ଜମିକୁ ଜୋରଜବରଦସ୍ତ ହଡପ କରିବା ପାଇଁ ବାରମ୍ବାର କରୁଛି ଉଦ୍ୟମ । ନିର୍ବାଚନ ଲାଗି ସୀମାନ୍ତ ଅଞ୍ଚଳର ଓଡିଶାବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରୁଛି ଆନ୍ଧ୍ର ସରକାର । କିନ୍ତୁ ଏଥର କୋଟିଆରେ ନୁହେଁ ବରଂ ରାୟଗଡା ଜିଲ୍ଲା ସଦର ବ୍ଲକର ସାନକୁଲୁଟି ଗ୍ରାମରେ ଏଭଳି ଦାଦାଗିରି ଦେଖାଇଛି ଆନ୍ଧ୍ର । ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଅଧା ସେତୁ ନିର୍ମାଣ କରିବା ପରେ ବିଡିଓ, ତହସିଲଦାର ଓ ରାଜସ୍ବ ଅଧିକାରୀ ପହଞ୍ଚି କାମକୁ ବନ୍ଦ କରିଛନ୍ତି ।
ଓଡିଶାର ସୀମାନ୍ତ ସାନଲୁକୁଟି ଗ୍ରାମକୁ ଲାଗି ରହିଛି ଆନ୍ଧ୍ରର ଲାଡ୍ଡାଗ୍ରାମ । ଭୌଗୋଳିକ ସ୍ଥିତି ଅନୁଯାୟୀ ଚାରିଆଡେ ଓଡିଶାର ଗ୍ରାମ ରହିଥିବା ବେଳେ ମଝିରେ ରହିଛି ଆନ୍ଧ୍ରର ଲାଡ୍ଡାଗ୍ରାମ । ଏହି ଗ୍ରାମକୁ ଯିବାକୁ ହେଲେ ଓଡିଶା ଦେଇ ଯିବାକୁ ପଡିଥାଏ । ତେଣୁ ସେଠାରେ ସେତୁନିର୍ମାଣକୁ ଅଧିକ ଗୁରୁତ୍ବ ଦେଇଥିଲା ଆନ୍ଧ୍ର ପ୍ରଶାସନ । ତେବେ ଆନ୍ଧ୍ର ନିର୍ମାଣ କରୁଥିବା ସେତୁରେ ଆନ୍ଧ୍ର ଜମିରେ ଗୋଟିଏ ପିଲର ନିର୍ମାଣ କରିଥିବା ବେଳେ ଓଡିଶା ଜମିରେ 2ଟି ପିଲର ନିର୍ମାଣ ହୋଇଛି । ପିଲର ନିର୍ମାଣ ପରେ ଛାତ ପକାଇବାକୁ ଯୋଜନା କରିବା ସମୟରେ ରାୟଗଡା ପ୍ରଶାସନ ଏହାକୁ ବିରୋଧ କରିଛି । ତେବେ ସବୁଠାରୁ ବଡ କଥା ଓଡିଶା ସରକାର କିମ୍ବା ରାୟଗଡା ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଏତେ ଦୂର ସେତୁ ନିର୍ମାଣ କିପରି ହେଲା ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ତେବେ ଗତ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ସମୟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଶାସନର ତାଗିଦ ପରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲା ଆନ୍ଧ୍ର ପ୍ରଶାସନ । ତେବେ ଏବେ ପୁଣି ଆନ୍ଧ୍ର ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରାୟଗଡା ବିଡିଓ, ତହସିଲଦାରଙ୍କ ସମେତ ରାଜସ୍ଵ ବିଭାଗର ଅଧିକାରୀମାନେ ଆନ୍ଧ୍ର ପ୍ରଶାସନ ସହ କଥାବାର୍ତ୍ତା କରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି । ତେବେ ଗୁରୁତ୍ଵପୂର୍ଣ୍ଣ କଥାହେଲା ଆନ୍ଧ୍ରର ଲାଡ୍ଡା ଗ୍ରାମରେ ମାତ୍ର 20ରୁ 25 ପରିବାର ବସବାସ କରୁଥିବାବେଳେ ସେମାନଙ୍କୁ ବିକାଶ ଧାରାରେ ସାମିଲ କରିବା ପାଇଁ ଆନ୍ଧ୍ର ସରକାର ଅହରହ ଉଦ୍ୟମ କରୁଛନ୍ତି ।