ରାୟଗଡ଼ା: ଗୁଣୁପୁର ବଂଶଧାରା ନଦୀ ଓଭରବ୍ରିଜ ନିକଟରେ ଗୁଳିମାଡ଼ରେ ଆଶା ସଂସ୍ଥା ନିର୍ଦ୍ଦେଶକ ଗୌରୀ ମିଶ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ଏହି ହତ୍ୟାକାଣ୍ଡକୁ ମାସେ ବିତିଯାଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ଅପହରଣ ଅଭିଯୋଗ ଆଣିଛନ୍ତି ପରିବାର । ଉକ୍ତ ଯୁବକ ଜଣକ ଗୌରିଙ୍କ ମୃତ୍ୟୁର ରହସ୍ୟ ଜାଣିଥିବାରୁ ତାଙ୍କୁ କେହି ଦୁର୍ବୃତ୍ତ ବିଶାଖାପାଟଣାରୁ ଅପହରଣ କରି ନେଇଥିବା ପରିବାର ଅଭିଯୋଗ କରିଛନ୍ତି ।
ମେ ୧୩ ତାରିଖର ରାତ୍ରି ୯.୪୦ ସମୟରେ ବଂଶଧାରା ବ୍ରିଜ ଉପରେ ଦୁର୍ବୃତ୍ତଙ୍କ ଗୁଳିରେ ସ୍ଵେଚ୍ଛାସେବୀ ଗୌରୀ ମିଶ୍ର ମୃତ୍ୟୁବରଣ କରିଥିଲେ । ଇତି ମଧ୍ୟରେ ୧ ମାସ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କୌଣସି ଟେର ପାଇପାରୁନଥିଲା । ତେବେ ଆଜି ହଠାତ ଗୁଣୁପୁର କୁମ୍ଭାର ସାହିର ଭି.ଲକ୍ଷ୍ମୀ ନାମକ ଜଣେ ମହିଳା ଗୁଣପୁର ଥାନାର ଦ୍ଵାରସ୍ଥ ହୋଇ ନିଜ ପୁଅ ଭି ରାଜେସ ଗତ ରବିବାର ଠାରୁ ନିଖୋଜ ଥିବା ଏବଂ ତାଙ୍କୁ କେହି ଅପହରଣ କରି ନେଇଥିବା ନେଇ ଅଭିଯୋଗ କରିଥିଲେ । ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ଗୌରୀ ମିଶ୍ର ଘଟଣା ରହସ୍ୟ ସମ୍ପର୍କରେ ତାଙ୍କ ପୁଅ ଜାଣିଥିବା ସେ ପୋଲିସକୁ ସୂଚନା ଦେଇଥିଲେ ।
ନିଖୋଜ ରାଜେଶ ଭୁବନେଶ୍ବରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ବିଶାଖାପାଟଣାରେ ଅଜଣା କଲ୍ ଆସିବାରୁ ସେ ସେଠାରେ ଓହ୍ଲାଇ ପଡିଥିଲେ । ରାଜେଶ ଏହାପରେ ତାଙ୍କ ମା' ସହିତ ଯୋଗାଯୋଗ କରି ଗୌରୀ ମିଶ୍ର ହତ୍ୟାକାଣ୍ଡରେ କ୍ରିଷ୍ଣା ଓ ଜିକେ ନାମକ 2 ଯୁବକ ଜଡିତ ଥିବା ନେଇ ତାଙ୍କ ମାଆକୁ କହିଥିଲେ । ଯୁବକ ରାଜେଶ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜାଣିଥିବା ହେତୁ ବିଶାଖାପାଟଣାରୁ କେହି ତାକୁ ଅପହରଣ କରିଥିବା ନେଇ ପୋଲିସ ପାଖରେ ଅଭିଯୋଗ କରିଛନ୍ତି ରାଜେସଙ୍କ ମା’ ଭି ଲକ୍ଷ୍ମୀ । ଗୁଣୁପୁର ଭଳି ଶାନ୍ତି ଅଞ୍ଚଳରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ ହୋଇପଡ଼ିଛନ୍ତି ।