ରାୟଗଡା: ଚିକିତ୍ସା ଅବହେଳାରୁ ଛାତ୍ର ମୃତ୍ୟୁ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ମୃତକ ଦଶମ ଶ୍ରେଣୀ ଛାତ୍ର ସୀମାଞ୍ଚଳ ଗରଡିଆ । ସେ ରାୟଗଡ଼ା ସଦର ବ୍ଲକ୍ କୁମୁଟିପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ହଳଦୀପଡା ଗ୍ରାମର ବୋଲି ଜଣାପଡିଛି ।
ସୂଚନାନୁସାରେ, 16 ବର୍ଷୀୟ ସୀମାଞ୍ଚଳ ଘରେ କେହି ନଥିବା ସମୟରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା । ଘର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ପରିବାର ଲୋକ ଗ୍ରାମବାସୀଙ୍କ ସହଯୋଗରେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସୀମାଞ୍ଚଳଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ମୃତ୍ୟୁ ଘୋଷଣାର କିଛି ସମୟ ପରେ ସୀମାଞ୍ଚଳର ଶ୍ଵାସକ୍ରିୟା ଚାଲୁଥିବା ନେଇ ପୁଣି ସମ୍ପର୍କୀୟମାନେ ଡାକ୍ତରଙ୍କୁ ଡାକିଥିଲେ । ତେବେ ଡା. ସୁରେଶ କୁମାର ଦେ ପୁଣି ଥରେ ସୀମାଞ୍ଚଳର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ମୃତ୍ୟୁ ହୋଇଥିବା କହିଥିଲେ । କିନ୍ତୁ ଏଥିରେ ନ ମାନି ଚିକିତ୍ସା ଅବହେଳାରୁ ହିଁ ସୀମାଞ୍ଚଳର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଥିଲେ ।