ଓଡିଶା

odisha

ETV Bharat / state

ଦିନ ଦ୍ବିପ୍ରହରେ ଆନ୍ଧ୍ରକୁ ବେଧଡକ ବାଲି ଚୋରା ଚାଲାଣ ଅଭିଯୋଗ

ଦିବାଲୋକରେ ଆନ୍ଧ୍ରକୁ ହେଉଛି ବେଧଡ଼କ ବାଲି ଚୋରା ଚାଲାଣ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

By

Published : May 7, 2023, 5:55 PM IST

Etv Bharat
Etv Bharat

ରାୟଗଡ଼ା:ଜିଲ୍ଲାରେ ଦିବାଲୋକରେ ଚାଲିଛି ବେଆଇନ କାର୍ଯ୍ୟ । ବାଲି ମାଫିଆମାନେ ନିର୍ଭୟରେ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ବାଲି ଚୋରା ଚାଲାଣ କରୁଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି । ଏପଟେ ଚୋରା ବାଲି ଚାଲାଣ ସାଙ୍ଗକୁ ସୂକ୍ଷ୍ମ ସମ୍ପଦ ସୁରକ୍ଷିତ ରଖିବା ଲାଗି ଜିଲ୍ଲା ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନେଇପାରୁନଥିବା ମନେ ହେଉଛି । ଏନେଇ ଗତ ଦିନରେ ବିଭିନ୍ନ ସଂଗଠନ ପକ୍ଷରୁ ରାୟଗଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଅନଶନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଦିଗରେ ନିୟନ୍ତ୍ରଣ ଆସୁନାହିଁ ।

ମାଫିଆଙ୍କ ଦାଉରୁ ଜିଲ୍ଲାର ଖଣିଜ ଦ୍ରବ୍ୟ ବଞ୍ଚାଇବାକୁ ଧୀରେ ଧୀରେ ସାଧାରଣ ଜନତାଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି । ସେପଟେ ଖଣିଜ ସମ୍ପଦର ସୁରକ୍ଷା ଓ ପଡୋଶୀ ଜିଲ୍ଲା ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ରୋକିବା ପାଇଁ ବାରମ୍ବାର ଆନ୍ତଃ ରାଜ୍ୟ ଉଚ୍ଚସ୍ତରୀୟ ଆଲୋଚନା ହେଉଥିବା ବେଳେ ଫଳ କିନ୍ତୁ ଶୂନ ହୋଇଛି । ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ରାୟଗଡା ଜିଲ୍ଲା ଓ ବାହାରୁ କେଉଁ ଲିଜ୍‌ଧାରୀ ଲିଜ ପାଇଛନ୍ତି ତାହା ପଞ୍ଚାୟତ ସ୍ତରରେ ସର୍ବସାଧାରଣ କରାୟାଉ, ଲିଜଧାରୀଙ୍କ ନାମଫଳକ ବାଲି ବନ୍ଧରେ ଲେଖାଯାଉ, ମାସିକ ଓ ବାର୍ଷିକ କେତେ ସି.ଏମ ବାଲି ଉଠାଯିବ ତାହା ନିର୍ଦ୍ଧାରଣ କରାଯାଉ, ବାଲି ବନ୍ଧର ସ୍ଥାନ ଓ ଏରିଆ ନିର୍ଦ୍ଧାରଣ କରାଯାଇ ସଠିକ ଜାଗା ଚିହ୍ନଟ କରାଯିବା ଲାଗି ଦାବି ହୋଇଛି ।

ଏହା ବି ପଢନ୍ତୁ- ଶେଷ ହେଲା ଟ୍ରକ ୟୁନିଅନ ନିର୍ବାଚନ, ସଭାପତି ହେଲେ ୟେଲ୍ଲା କୋଣ୍ଡାବାବୁ

ସେହିପରି ମୃତ ଲିଜଧାରୀମାନଙ୍କୁ ରଦ୍ଦ କରି ନୂତନ ଲିଜଧାରୀଙ୍କୁ ଲିଜ ପ୍ରଦାନ କରାଯାଉ, ଓଡ଼ିଶା ଲୋକଙ୍କ ପାଇଁ ବାଲିର ମୂଲ୍ୟ ନିର୍ଦ୍ଧାରଣ କରାଯାଉ, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣକୁ ସୁରକ୍ଷିତ ରଖାଯାଉ, ଗ୍ରାମବାସୀଙ୍କ ଜଳ ସଙ୍କଟ ଓ ମାଛ, ଚାଷ ସୁରକ୍ଷା ଦୃଷ୍ଟିରୁ ନୂତନ ସ୍ଥାନ ବାଲି ଲିଜ୍ ବନ୍ଦ କରାଯାଉ, ପ୍ରତ୍ୟେକ ବାଲି ବନ୍ଧର ସୀମା ନିର୍ଦ୍ଧାରଣ କରାଯାଉ ଓ ନାଗାବଳୀ ନଦୀର ଗର୍ଭରୁ ବାଲି ଉଠାଣ ବନ୍ଦ ରଖାଯାଉ ବୋଲି ଦାବି ହୋଇ ଆସୁଛି । କିନ୍ତୁ ଜିଲ୍ଲାପ୍ରଶାସନର ଅଧିକାରୀ, ରାଜନୈତିକ ନେତା ଏବଂ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ନାଗାବଳୀ ନଦୀର ବାଲି ହରିଲୁଟ୍‌ ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ରାୟଗଡା ତସହିଲ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ କେରେଡା, ହଁସା, ଖିଲମିସଗୁଡା ଏବଂ ବେହେରାଗୁଡା ଗୁଣପୁର ତହସିଲ ଅନ୍ତର୍ଗତ ବଂଶଧାରା ନଦୀର ଜଗନ୍ନାଥପୁର, ଲିମାଗୁଡା ଏବଂ ପ୍ରଧାନିଗୁଡା, ରମାନାଗୁଡା ତହସିଲ ଅନ୍ତର୍ଗତ ଗୁମୁଡା ଓ ଗୁଡାରି ତହସିଲର ଗୁଡାରିଦେଇ ବହିଯାଉଥିବା ବଂଶଧାରା ନଦୀରୁ ପ୍ରତିଦିନ ଚୋରାରେ ଶହ ଶହ ଟ୍ରକ ବାଲି ଆନ୍ଧ୍ରକୁ ଚାଲାଣ ହେଉଛି । ଏନେଇ ଆମେ ସମ୍ପୃକ୍ତ ତହସିଲଦାରମାନଙ୍କୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ପ୍ରତିକ୍ରିୟା ମିଳିପାରିଲା ନାହିଁ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details