ଓଡିଶା

odisha

ETV Bharat / state

ଧଳାସୁନାର ଅଭାବି ବିକ୍ରି ,ସେପଟେ ଦାଉ ସାଜିଛି କପାମଣ୍ଡି

ସାମୁଦ୍ରିକ ଝଡ଼ ତିତିଲି ପରେ ପାଥେଇ ଉଜାଡ଼ି ଦେଇଛି କପାଚାଷକୁ । ବର୍ତ୍ତମାନ ଏହି ଧଳାସୁନାର ଅଭାବି ବିକ୍ରିକୁ ନେଇ ଚିନ୍ତାରେ ରାୟଗଡା କପାଚାଷି ।

By

Published : Feb 12, 2019, 6:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ରାୟଗଡା: ସାମୁଦ୍ରିକ ଝଡ଼ ତିତିଲି ପରେ ପାଥେଇ ଉଜାଡ଼ି ଦେଇଛି କପାଚାଷକୁ । ବର୍ତ୍ତମାନ ଏହି ଧଳାସୁନାର ଅଭାବି ବିକ୍ରିକୁ ନେଇ ଚିନ୍ତାରେ ରାୟଗଡା କପାଚାଷି । ପୋଡ଼ା ଘରୁ ଯେପରି ରୁଅ ସଂଗ୍ରହ କରାଯାଏ ସେହିପରି ନ୍ୟାୟରେ ବଳକା ଗଛର କପାକୁ ସାଉଁଟିବାରେ ଲାଗିପଡିଛି ଚାଷି ।

ଏ ସମସ୍ତ ପରେ ବୋଝ ଉପରେ ନଳିତା ବିଡା ଲଦି ଦେଇଛି କପାମଣ୍ଡି । କପାକ୍ରୟ ପାଇଁ ନିର୍ଦ୍ଧେଶ ଜାରି ହୋଇଥିଲେ ସୁଧା ମଣ୍ଡିର ନା ଗନ୍ଧ ଧରୁନାହିଁ ମଣ୍ଡି ମାଲିକ । ଯାହାକୁ ନେଇ କପାଚାଷୀଙ୍କ ଚିନ୍ତା ଦ୍ବିଗୁଣା ହୋଇଯାଇଛି ।

ତେବେ ସର୍ବଭାରତୀୟ ସ୍ତରରେ କପାଚାଷରେ ସର୍ବକୃଷ୍ଟ ସ୍ଥାନ ଅଧିକାର କରିଛି ରାୟଗଡ଼ା ଜିଲ୍ଲା । ଫଳରେ ଜିଲ୍ଲାରେ ପ୍ରତିବର୍ଷ ୪୦୦ ରୁ ୪୫୦ କୋଟିର କପା ବ୍ୟବସାୟ ହୋଇଥାଏ । ଚଳିତ ବର୍ଷ ଗୁଣବତ୍ତା ଆଳରେ କପା କିଣୁ ନାହାଁନ୍ତି ମଣ୍ଡିମାଲିକ । ଆଉ ଏହାର ସୁଯୋଗ ଉଠାଇ ଦଲାଲଙ୍କ ସହାୟତାରେ ଶାଗ ମାଛ ଦରରେ କପା କିଣୁଛନ୍ତି ମିଲମାଲିକ । ଏପରିକି କପା ଉତ୍ପାଦନ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିଲେ ସୁଧା ସିସିଆଇର ଦେଖା ନଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ତାଗିଦ କରାଯାଇ ଥିବା କହିଛନ୍ତି ନିୟନ୍ତ୍ରୀତ ବଜାର କମିଟି ସମ୍ପାଦକ । ସେପଟେ ସଂଗୃହିତ କପାର ସଂରକ୍ଷଣପାଇଁ ଜାଗା ଅଭାବ ଥିବା କହିଛନ୍ତି ସିସିଆଇ
କତ୍ତୃପକ୍ଷ ।

ଚଳିତ ବର୍ଷ ଜିଲ୍ଲାରେ ୩୪ ହଜାର ହେକ୍ଟର ଜମିରେ କପା ଚାଷ ହୋଇଥିଲା । ସେଥିମଧ୍ୟରୁ ୧୦ ହଜାର ହେକ୍ଟରରେ ୫୦ ପ୍ରତିଶତ କପାଚାଷ କ୍ଷତି ହୋଇଛି । ଏଭଳି ସ୍ଥିତିରେ ଚାଷୀଙ୍କୁ ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୁଲ୍ୟ ନମିଲେ ରଣ ବୋଝ ସହିନପାରି ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details