ରାୟଗଡ଼ା:ରାୟଗଡ଼ା ଜେଏସକୋକୁ ହାତେଇଲା ପ୍ରଶାସନ । ଏନେଇ ଖୁସି ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲା ତହସିଲ ଅନ୍ତର୍ଗତ ୧୦ଟି ମୌଜାରେ ରହିଥିବା ୫୦୬.୬୯ ଏକର ସିଲିଂ ଜମିକୁ ଗତ ଶନିବାର ଜିଲ୍ଲାପ୍ରଶାସନ ନିଜ କବଜାକୁ ନେବାପରେ ଏବେ ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି । ଏନେଇ ଗତକାଲି ନାଗରିକ ମଞ୍ଚ ତରଫରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଭୂୟସୀ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।
ଦୀର୍ଘ ୪୮ ବର୍ଷ ହେବ ବେଆଇନ ଭାବେ ଜୟପୁର ସୁଗାର କମ୍ପାନୀ ୭୮୭ ଏକର ଜମି ନିଜ ଅକ୍ତିଆରରେ ରଖିଥିଲା । ଏନେଇ ଆଇନଗତ ଭାବେ ସଂଗ୍ରାମ ଜାରି ରଖିଥିଲା ନାଗରିକ ମଞ୍ଚ । ଏଥିପୂର୍ବରୁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିର ପାଇଁ ରେଳବାଇ ବୋର୍ଡ ୬.୩୦ ଏକର ଜମି ଅଞ୍ଚଳ ବଦଳ କରିଛି । ଏବେ ୫୦୬ ଏକର ଜମି ସରକାରୀ ଖାତାକୁ ଫେରିବା କିଛି କମ୍ କଥା ନୁହେଁ ବୋଲି ମଞ୍ଚ କହିଛି । କାରଣ ଏହି ଜେଏସକୋ ଠାରୁ ଜମି ଉଦ୍ଧାର ପାଇଁ ଗତ ୧୦ ବର୍ଷ ହେବ ନାଗରିକ ମଞ୍ଚ ଉଦ୍ୟମ କରୁଥିଲା । ତେବେ ବିଭିନ୍ନ ସ୍ଥାନରେ ଥିବା ୫୦୬ ଏକର ସିଲିଂ ଜମିକୁ ପ୍ରଶାସନ ନିଜ କବଜାକୁ ନେବା ପରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।
ଏହି ସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲାପାଳ ସ୍ଵଧା ଦେବ ସିଂ, ଏସପି ବିବେକାନନ୍ଦ ଶର୍ମା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁଶୟା ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଭୀମସେନ ସବାର ଏବଂ ତହସିଲଦାର ତାପସ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।