ଓଡିଶା

odisha

ETV Bharat / state

ସଫଳତା ପାଇଁ ସଂଘର୍ଷ, ଭଡାଘରେ ମଜୁରୀ ଲାଗି ଅନଲାଇନ କ୍ଲାସ କରୁଛନ୍ତି ମେଧାବୀ - କବିତା ନିଶିକା ରାୟଗଡା ଛାତ୍ରୀ

ପାଠ ପଢିବା ପାଇଁ ଅହେତୁକ ଦୁର୍ବଳତା । ବରଂ ନ ଖାଇବୁ ଝିଅକୁ ପାଠ ପଢାଇବୁ । ଏପରି ଦୃଢ ମନୋବଳ ଆଉ ଇଚ୍ଛାଶକ୍ତି ଆଗରେ ଦାରିଦ୍ର୍ଯ ବି ହାର ମାନିଛି । ସବୁ ବାଧା ପ୍ରତିବନ୍ଧକକୁ ପଦଦଳିତ କରି ପାଠପଢାରେ ମନ ନିବେଶ କରିଛନ୍ତି ରାୟଗଡା ଜିଲ୍ଲା ସଦର ମହକୁମା ଗୁମ୍ମା ପଞ୍ଚାୟତର କବିତା ନିଶିକା । ଅଧିକ ପଢନ୍ତୁ...

ସଫଳତା ପାଇଁ ସଂଘର୍ଷ, ଭଡାଘରେ ମଜୁରୀ ଲାଗି ଅନଲାଇନ କ୍ଲାସ କରୁଛନ୍ତି ମେଧାବୀ
ପାଠ ପଢିବାର ଝୁଙ୍କ ଅଟକାଇ ପାରିନି କବିତାଙ୍କୁ

By

Published : Jul 25, 2021, 4:02 PM IST

Updated : Jul 25, 2021, 5:22 PM IST

ରାୟଗଡା: ପାଠ ପଢିବା ପାଇଁ ଅହେତୁକ ଦୁର୍ବଳତା । ବରଂ ନ ଖାଇବୁ ଝିଅକୁ ପାଠ ପଢାଇବୁ । ଏପରି ଦୃଢ ମନୋବଳ ଆଉ ଇଚ୍ଛାଶକ୍ତି ଆଗରେ ଦାରିଦ୍ର୍ଯ ବି ହାର ମାନିଛି । ସବୁ ବାଧା ପ୍ରତିବନ୍ଧକକୁ ପଦଦଳିତ କରି ପାଠପଢାରେ ମନ ନିବେଶ କରିଛନ୍ତି ରାୟଗଡା ଜିଲ୍ଲା ସଦର ମହକୁମା ଗୁମ୍ମା ପଞ୍ଚାୟତର କବିତା ନିଶିକା । ପିଲାଟି ବେଳୁ ବାପା ଛେଉଣ୍ଡ କବିତାଙ୍କ ଖାଇବା, ପିଇବା ଓ ପଢିବା ଖର୍ଚ୍ଚ ମଉସା ଓ ପିଉସା ବୁଝନ୍ତି । ମାଆ ଓ ଭଉଣୀ ପର ଘରେ ମୂଲ ଲାଗି ତାଙ୍କୁ ଭୁବନେଶ୍ବରରେ ପାଠ ପଢାଉଥିଲେ । ମାତ୍ର କୋରୋନା ପାଇଁ ସେସବୁରୁ ଏବେ ବଞ୍ଚିତ କବିତା । ଅନଲାଇନ କ୍ଲାସ ପାଇଁ ମୋବାଇଲ ଫୋନର ଅଭାବ ସାଙ୍ଗକୁ ଘରେ ତେଲ ଲୁଣର ଅଭାବ ।

ସଫଳତା ପାଇଁ ସଂଘର୍ଷ, ଭଡାଘରେ ମଜୁରୀ ଲାଗି ଅନଲାଇନ କ୍ଲାସ କରୁଛନ୍ତି ମେଧାବୀ
କବିତାଙ୍କୁ ମାତ୍ର 2 ବର୍ଷ ହୋଇଥିବାବେଳେ ଆରପାରିକୁ ଚାଲି ଯାଆନ୍ତି ବାପା । ମୁଣ୍ଡ ଗୁଞ୍ଜିବାକୁ ନା ଘର ଖଣ୍ଡିଏ ଅଛି, ନା ଦିନକୁ ଦି ଓଳି ଦି ମୁଠା ଦାନା ପାଇଁ ପାଖରେ ସମ୍ବଳ ଅଛି । ନିଜର ଜମି ବାଡି ନ ଥିବାରୁ କବିତାଙ୍କ ମାଆ ଓ ଭଉଣୀ ଜଙ୍ଗଲ ଜମିରେ ଚାଷ କରିବା ସାଙ୍ଗକୁ ପର ଘରେ ମୂଲ ଲାଗନ୍ତି । ସେଥିରୁ ଯାହା 2 ପଇସା କମାନ୍ତି ତାହା ଝିଅର ପାଠପଢାରେ ଖର୍ଚ୍ଚ କରନ୍ତି । କବିତାଙ୍କ ପାଠପଢାର ଭଲ ପ୍ରଦର୍ଶନ ଦେଖି ତାଙ୍କୁ 3ୟ ଶ୍ରେଣୀରୁ ଭୁବନେଶ୍ବର ଘରୋଇ ଅନୁଷ୍ଠାନରେ ନାମ ଲେଖାନ୍ତି ମାଆ ଓ ଭଉଣୀ । ସେଇଠି ହୁଏ କବିତାଙ୍କ ପାଠପଢା ।

ମାତ୍ର କୋରୋନା ପାଇଁ ଘରକୁ ଫେରିଆସି ପାଠପଢା ସାଙ୍ଗକୁ ଘର କାମ ମଧ୍ୟ କରନ୍ତି କବିତା । ଏହି ସମୟରେ ଅନଲାଇନ ପରୀକ୍ଷା ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ମୋବାଇଲ୍ ଫୋନ୍ । ପାଠପଢା ଆଉ ଆଗକୁ ହୋଇପାରିବନି ଆଶଙ୍କାରେ ଭାଙ୍ଗିପଡନ୍ତି । ମାତ୍ର ପିଲାଟି ବେଳୁ ପଢିବା ପାଇଁ ଯେଉଁ ସଙ୍ଘର୍ଷ ବୃଥା ଯାଇଥାନ୍ତା ବା କିପରି । କୁଲି କାମ କରି ଘରେ ଥିବା ଚାଉଳ ବିକ୍ରିକରି ଝିଅ ପାଇଁ ମୋବାଇଲ ଫୋନ କିଣି ଦିଅନ୍ତି ମାଆ ।

ମୋବାଇଲ ସିନା କିଣା ହେଲା କିନ୍ତୁ ଅନଲାଇନ ପାଠପଢା ପାଇଁ ଗାଁରେ ନେଟୱର୍କ ସମସ୍ୟା ଆଉ ଏକ ମୁଖ୍ୟ ସମସ୍ୟା ଭାବେ ଉଭାହେଲା । ଶେଷରେ ସେ କିଛି ସାଙ୍ଗମାନଙ୍କ ସହାୟତାରେ ରାୟଗଡ଼ା ସହରରେ ସାଙ୍ଗମାନେ ନେଇଥିବା ଭଡା ଘରେ କବିତା କୁଲି ମଜୁରୀ କରି ସଞ୍ଚିତଥିବା ଅର୍ଥରୁ ହଜାରେ ଟଙ୍କା ଘର ଭଡ଼ା ଦେଇ ଏବେ ଅନଲାଇନ କ୍ଲାସ କରିବାରେ ସକ୍ଷମ ହୋଇଛନ୍ତି । ସେପଟେ ସରକାର ତରଫରୁ ମିଳୁଥିବା ଚାଉଳକୁ ନିଜେ ନ ଖାଇ କବିତାଙ୍କ ମାଆ ପ୍ରତି ମାସ ପଠାଉଛନ୍ତି । ତେବେ ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳର କବିତା ନିଶିକାଙ୍କ ଭଳି ମେଧାବୀ ଛାତ୍ରୀଙ୍କ ଇଚ୍ଛା ଶକ୍ତି ଯେ ପାଠ ପଢିବା ପାଇଁ ସବୁ ବାଧାବିଘ୍ନକୁ ଦୂରେଇ ପାରିଛି ଏହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jul 25, 2021, 5:22 PM IST

ABOUT THE AUTHOR

...view details