ରାୟଗଡା: ଲକଡାଉନ ହେବା ପରଠାରୁ ରୋଜଗାରରେ ଝୁଲୁଛି ତାଲା । ପାଖରେ ଥିବା ଟଙ୍କା ମଧ୍ୟ ସରିବାକୁ ବସିଲାଣି । ମାଲିକଙ୍କ ସାହାଯ୍ୟରେ ବିତୁଛି ଦିନ । ଏବେ ଭିଟାମାଟିକୁ ଫେରିବାକୁ ଆକୁଳ ନିବେଦନ ସତ୍ତ୍ବେ କେରଳ ପୋଲିସ ଓ ପ୍ରଶାସନ ସାହାଯ୍ୟ କରୁନି । ଏ ଥାନାରୁ ସେ ଥାନା ଆଉ ଏ ଅଫିସରୁ ସେ ଅଫିସକୁ ଘୁରିବୁଲି ପଞ୍ଜୀକରଣ କରିବା ପରେ ବି ଦିନ ବିତୁଛି ସତ ହେଲେ ଘରକୁ ଫେରିବାର ରାସ୍ତା ଫିଟୁନି । ଏହେଉଛି କେରଳ ଏର୍ଣ୍ଣାକୁଲମ୍ ଜିଲ୍ଲା ପେରୁମବାରିୟର ସହରରେ ଫସିଥିବା 50 ଡଙ୍ଗରିଆଙ୍କ ସହ 200ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ କରୁଣ କାହାଣୀ ।
ଏହି ଶ୍ରମିକମାନେ ବର୍ଷ ବର୍ଷ ଧରି ବିଭିନ୍ନ ହୋଟେଲ, ଲଜ, ପ୍ଲାଏଉଡ କମ୍ପାନୀ, ବାର ଓ ନିର୍ମାଣଧୀନ କୋଠାରେ ମିସ୍ତ୍ରୀ ଓ ହେଲପର ଭାବେ କାମ କରି ଆସୁଛନ୍ତି । ହେଲେ ଏବେ ଲକଡାଉନ ପାଇଁ ଘରକୁ ଫେରିନପାରି କେରଳର ବିଭିନ୍ନ ଜିଲ୍ଲାରେ ଫଶି ଯାଇଛନ୍ତି ଏହି ଶ୍ରମିକ । ମାର୍ଚ୍ଚ ମାସରେ ଲକଡାଉନ ପରଠାରୁ ଏହି ଯୁବକମାନେ ନାହିଁ ନଥିବା ଅସୁବିଧା ଭିତରେ କେରଳରେ ପଡ଼ି ରହିଥିବାରୁ ଫସିଥିବା ଯୁବକଙ୍କୁ ତୁରନ୍ତ ଉଦ୍ଧାର ପାଇଁ କୁର୍ଲି ସରପଞ୍ଚ ଡିଞ୍ଜ ଜାକେସିକା ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ନିବେଦନ କରିଛନ୍ତି।