ରାୟଗଡା: ଅନଲାଇନ ପାଠ ପଢ଼ା ପାଇଁ ଆଉ ପାହାଡ଼ ଚଢିବାକୁ ପଡ଼ିବେ ନାହିଁ ରାୟଗଡା ଜିଲ୍ଲାର ଛାତ୍ରଛାତ୍ରୀ । ଏପରିକି ହାତ ପାଆନ୍ତାରେ ମିଳିବ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା ଓ ଆମ୍ବୁଲାନସ । ସରକାରୀ ସୁବିଧା ସୁଯୋଗର ଲାଭ ଉଠାଇବେ ଅପହଞ୍ଚ ଇଲାକାର ଗ୍ରାମବାସୀ ମାନେ । ଜିଲ୍ଲାରେ ୪ଜି ମୋବାଇଲ୍ ସେବା ଯୋଡି ହୋଇଯିବା ପରେ ବଦଳିଯିବ ଦୁର୍ଗମ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଚିତ୍ର । କେନ୍ଦ୍ର କ୍ୟାବିନେଟରେ ଆକାଂକ୍ଷା ଜିଲ୍ଲା ରାୟଗଡାରେ ୯୬୨ ଟି ଗ୍ରାମକୁ ମୋବାଇଲ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ଏହି ସବୁ ଅଞ୍ଚଳରେ ମୋବାଇଲ୍ ଟାୱାର ପ୍ରତିଷ୍ଠା ହେଲେ ଜିଲ୍ଲା ତଥା ଏଠାକାର ଅଧିବାସୀଙ୍କ ଆର୍ଥିକ ତଥା ସାମାଜିକ ସ୍ଥିତିର ଚିତ୍ର ବଦଳି ଯିବ । ଫଳରେ ଗୁରୁତ୍ବପୂର୍ଣ୍ଣ କାମ ଏବଂ ସଂପର୍କୀୟଙ୍କ ସହ ଫୋନରେ ଯୋଗା ଯୋଗ କରିବା ପାଇଁ ଏହି ପଞ୍ଚାୟବାସୀ ପଡ଼ୋଶୀ ଆନ୍ଧ୍ର ସମେତ ଓଡ଼ିଶାର ଗଜପତି, ଜିଲ୍ଲାର ଲୋକେ ସୁବିଧା ପାଇବେ ।
ଗତ ଅଗଷ୍ଟ ମାସରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଆସିଥିବା ବେଳେ ମୋବାଇଲ ସେବାରୁ ବଞ୍ଚିତ ପଞ୍ଚାୟତ ଗୁଡ଼ିକରେ ତୁରନ୍ତ ଟାୱାର୍ ନିର୍ମାଣ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଶୀତ ଅଧିବେଶନ ପୂର୍ବରୁ ମୋବାଇଲ୍ କନେକ୍ଟିଭିଟିରେ ରାୟଗଡ଼ାକୁ ସାମିଲ ନକଲେ ସଂସଦରେ କଳା ପତାକା ଦେଖାଇବାକୁ ସାଂସଦ ଶ୍ରୀ ଉଲାକା ଚେତାବନୀ ଦେଇଥିଲେ। ହେଲେ ଅଧିବେଶନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ରାୟଗଡ଼ାବାସୀଙ୍କ ଦାବି ଉପରେ ମୋହର ଲଗାଇଛି ।