ରାୟଗଡା: ଭାରତ ଲକଡାଉନ୍ ଯୋଗୁ କୋର୍ଟରେ ବହୁ ମାମଲାର ବିଚାରଧୀନ ଭାବେ ପଡିରହିଛି । ଏହାସହ କାରାଗାରରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କାରାଗାରରୁ କଏଦୀଙ୍କୁ ଖାଲି କରିବାକୁ ରାୟଗଡ଼ା କୋର୍ଟ ପରିସରରେ ଏକ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲା ଓ ଦୌରାଜଜ୍ କୋର୍ଟର ଭିଡ଼ିଓ କନଫରେନସିଂ ହଲରେ ଅନୁଷ୍ଠିତ ଏହି ବୈଠକରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ୩୦ କଏଦୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି ।
ତେବେ ଲକଡାଉନ୍ ନିଷ୍ପତ୍ତି ପ୍ରତ୍ୟାହାର ପରେ କଏଦୀମାନେ ପୁଣି ଘରୁ ଫେରି ଆସିବାକୁ ନିର୍ଦ୍ଦେଶ ହୋଇଛି । ଆୟୋଜିତ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜ୍ଞାନେନ୍ଦ୍ର ବାରିକ୍, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ ଉପସ୍ଥିତ ଏହି ବୈଠକରେ ମଧ୍ୟବର୍ତ୍ତକାଳୀନ ଜାମିନରେ ମୁକୁଳିବାକୁ ଥିବା କଏଦୀଙ୍କ କେସ୍ ସମ୍ପର୍କରେ ଆଲୋଚନା ହୋଇଥିଲା । ୭ ବର୍ଷ କିମ୍ବା ୭ ବର୍ଷରୁ କମ୍ ସଜ୍ଜା ହୋଇଥିବା କଏଦୀଙ୍କ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯିବା ପରେ ରାୟଗଡ଼ା ଜେଲର ୧୯, ବିଷମକଟକ ଜେଲର ୩, ଗୁଣପୁର ଜେଲର ୮ ଜଣଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି । ରିମାଣ୍ଡ ଓକିଲ ସୀତାରାମ ପଣ୍ଡା ଏହି ସମସ୍ତ କଏଦୀଙ୍କ ପାଇଁ ଜାମିନ୍ ଆବେଦନ କରିଥିଲେ । ଜାମିନ୍ ପାଇଥିବା କିଛି କଏଦୀଙ୍କ ଘର ବାହାର ଜିଲ୍ଲାରେ ହୋଇଥିବାରୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନ ସେମାନଙ୍କୁ ଘରେ ପହଞ୍ଚାଇବ ବୋଲି ଜଣାପଡ଼ିଛି ।