ରାୟଗଡା:ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ଯୁବକଙ୍କୁ କ୍ଷତିପୂରଣ ଦାବିରେ ଥାନା ଘେରାଉ । ଗତ ମଙ୍ଗଳବାର ଦିନ ରାୟଗଡ ବ୍ଲକ କୁଟୁଳି ଗ୍ରାମର ଆନନ୍ଦ ମାଣ୍ଡାଙ୍ଗି ଏବଂ ଜନସେବା କେନ୍ଦ୍ର ମାଲିକ ହେମନ୍ତ ମିଣିଆକା ମଧ୍ୟାହ୍ନ ସମୟରେ ମଟର ସାଇକଲ ଯୋଗେ ରାୟଗଡାରୁ ନିଜ ଘରକୁ ଫେରୁଥିଲେ । ହେଲେ ରାଫକଣା ନିକଟରେ ପଛପଟୁ ଏକ କାର ଆସି ଧକ୍କା ଦେଇଥିଲା । ଫଳରେ ଦୁହେଁ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ନେଇ ଗତକାଲି ରାୟଗଡା ଥାନା ଘେରାଉ କରିଥିଲେ ।
ସେହିପରି ଦୁର୍ଘଟଣା ଦୁଇଦିନ ସମୟ ବିତି ଯାଇଥିଲେ ସୁଦ୍ଧା ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡି ମାଲିକର ପରିଚୟ ବାହାର କରିପାରିନାହିଁ କିମ୍ବା ଡ୍ରାଇଭରକୁ ଗିରଫ କରିନାହିଁ ବୋଲି ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ । ଅପରପକ୍ଷେ ମୃତ ଆନନ୍ଦ ମାଣ୍ଡାଙ୍ଗି କଲେଜ ଛାତ୍ର ହୋଇଥିବାରୁ ରାୟଗଡ ଅଟୋନୋମସ୍ କଲେଜର ଛାତ୍ରମାନେ କଲେଜ ବନ୍ଦ କରିଛନ୍ତି । ଏଥି ସହ ଡ୍ରାଇଭରକୁ ଗିରଫ ଏବଂ ଗାଡି ମାଲିକର ପରିଚୟ ତୁରନ୍ତ ବାହାର କରି କ୍ଷତିପୂରଣ ଦାବିରେ ଥାନା ଘେରାଉ କରିଥିଲେ ।